ଜାକର୍ତ୍ତା: ବର୍ଷ ବର୍ଷ ଧରି ଇଣ୍ଡୋନେସିଆରେ ଚାଲି ଆସୁଥିବା ପରମ୍ପରା ଚଳିତବର୍ଷ କୋରୋନା ସଂକ୍ରମଣ ପାଇଁ ଭାଙ୍ଗିବାକୁ ଯାଉଛି । ପ୍ରତିବର୍ଷ ଇଦ୍ରେ ଦେଶର ରାଷ୍ଟ୍ରପତି ଭବନ ଜନସାଧାରଣଙ୍କ ପାଇଁ ଖୋଲିବାର ବିଧି ରହିଛି । ଭାଇଚାରା ଓ ଏକତାର ପର୍ବ ଇଦ୍ ଦେଶର ନାଗରିକ ଏକାଠି ହୋଇ ପାଳନ କରି ଆସୁଥିବା ବେଳେ ଚଳିତବର୍ଷ କୋରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ଏହି ନିୟମରେ ବ୍ୟତିକ୍ରମ ହେବାକୁ ଯାଉଛି ।
ଆସନ୍ତା ରବିବାର ଅର୍ଥାତ୍ ମେ’ 24ରେ ଦେଶରେ ଇଦ ପାଳନ ହେବାକୁ ଥିବା ବେଳେ, ଏବର୍ଷ ଜନସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନ ଖୋଲିବ ନାହିଁ ବୋଲି ଶୁକ୍ରବାର ଘୋଷଣା କରାଯାଇଛି । ଏହି ଦିନ ରାଷ୍ଟ୍ରପତି ଭବନ ଖୋଲାଯିବା ସହ ରାଷ୍ଟ୍ରପତି ଦେଶର ନାଗରିକଙ୍କ ସହ ସିଧାସଳଖ କଥା ହେବାର ଅବସର ସୃଷ୍ଟି ହୁଏ । ଏଥିସହ ଲୋକେ ଦେଶର ପ୍ରଥମ ନାଗରିକ ଓ ମହିଳାଙ୍କୁ ଭେଟି ନୈଶ୍ୟ ଭୋଜନ କରିବାର ବ୍ୟବସ୍ଥା କରାଯାଇଥାଏ । ହେଲେ ଏ ବର୍ଷ ଏସମସ୍ତ ଆୟୋଜନରେ ରୋକ ଲଗାଇଛନ୍ତି ରାଷ୍ଟ୍ରପତି ଜୋକୋ ୱିଡୋଡୋ ।
ଗତବର୍ଷ ଇଦ୍ ଅବସରରେ ହଜାର ହଜାର ଲୋକଙ୍କ ଭିଡ ରାଷ୍ଟ୍ରପତି ଭବନକୁ ଛୁଟିଥିବା ବେଳେ ସେମାନଙ୍କ ଭବନ କର୍ମଚାରୀଙ୍କ ଦ୍ବାରା ଭବ୍ୟ ସ୍ବାଗତ କରାଯାଇ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ହେଲେ ଚଳିତବର୍ଷ କୋରୋନାର ପ୍ରକୋପ ପାଇଁ ଏପରି ନିଷ୍ପତ୍ତି ନିଆଯିବା ସହ ଖୋଲା ପଡିଆ କିମ୍ବା ମସଜିଦରେ ସାମୂହିକ ପ୍ରାର୍ଥନା ନକରିବା ପାଇଁ ଲୋକଙ୍କ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ, ଇଦ୍ ପାଳନ ପାଇଁ ନିଜ ଘରକୁ ନଯାଇ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ହିଁ ପାଳନ କରିବାକୁ କୁହାଯାଇଛି ।
ବର୍ତ୍ତମାନ ସୁଦ୍ଧା ଇଣ୍ଡୋନେସିଆରେ 20,162 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
@IANS