ଲାହୋର: ପାକିସ୍ତାନରେ କୋରୋନା ଭୂତାଣୁର ପ୍ରଭାବ ସାଙ୍ଘାତିକ ରହିଛି । ଦେଶରେ ଏବେ ଯାଏଁ ଲକ୍ଷାଧିକ ଆକ୍ରାନ୍ତଙ୍କ ସହ 4000 ପାଖାପାଖି ମୃତ୍ୟୁ ସଂଖ୍ୟା ରହିଛି । ଦେଶରେ ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାର ପୂର୍ବରୁ ଅଭିଯୋଗ ହୋଇଥିଲା । ଏକ ତଥ୍ୟ ଅନୁସାରେ କୋରୋନା କବଳରେ ସାଧାରଣ ଜନତାଙ୍କ ସହ ଅନେକ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ମଧ୍ୟ ପଡିଛନ୍ତି ।
ସରକାରୀ ରିପୋର୍ଟ ଅନୁସାରେ କୋରୋନା ଯୋଗୁଁ ପାକିସ୍ତାନରେ ପ୍ରାୟ 5000 ସ୍ବାସ୍ଥ୍ୟ କର୍ମୀ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଏବେ ଯାଏଁ 65 ଜଣଙ୍କର ମୃତ୍ୟୁ ହୋଇସାରିଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତର ଥିବା ଜଣାପଡିଛି । ମୃତକଙ୍କ ଭିତରେ 42 ଜଣ ଡାକ୍ତର ଥିବାବେଳେ କେବଳ 30 ଜଣ ପଞ୍ଜାବ ପ୍ରଦେଶରୁ ବୋଲି ସୂଚନା ରହିଛି । ସିନ୍ଧରେ 11 ଡାକ୍ତର ଏବଂ ଜଣେ ନର୍ସଙ୍କ ମୃତ୍ୟୁ ହୋଇଛି । ବାଲୋଚିସ୍ତାନରେ 4 ଡାକ୍ତର ଓ 3 ଜଣ ପାରାମେଡିକାଲ କର୍ମଚାରୀ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ରିପୋର୍ଟ ଅନୁସାରେ ପ୍ରାୟ 5000 ସ୍ବାସ୍ଥ୍ୟକର୍ମୀ ଏହି ମହାମାରୀ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 3000 ଡାକ୍ତର ଏବଂ 600 ନର୍ସ ରହିଛନ୍ତି ।
ଯେଉଁଠି ଦେଶରେ କୋରୋନା ଯୋଦ୍ଧା ମହାମାରୀ କବଳରୁ ନିଜକୁ ରକ୍ଷା କରିପାରୁନାହାନ୍ତି ସେଠାରେ ସାଧାରଣ ଜନତାଙ୍କ ଅବସ୍ଥା ସହଜେ ଅନୁମେୟ । ପୂର୍ବରୁ ପାକିସ୍ତାନରେ ଡାକ୍ତର ଓ ନର୍ସମାନେ ଉପଯୁକ୍ତ ପରିମାଣରେ ପିପିଇ କିଟ୍ସ ପାଇନଥିବା ଅଭିଯୋଗ କରି ଆନ୍ଦୋଳନ କରିଥିଲେ । ବିଭିନ୍ନ ପ୍ରଦେଶରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡିଯାଇଥିବା ନେଇ ମଧ୍ୟ ଏମାନେ ସରକାରଙ୍କୁ ଚେତାବନୀ ଦେଇଥିଲେ । ତେବେ ସରକାର ଏହାପ୍ରତି ଦୃଷ୍ଟି ଦେଇନଥିଲେ ଯାହାର ପରିଣାମ ଆଜି କୋରୋନା ଯୋଦ୍ଧା ଭୋଗୁଥିବା ବିଶେଷଜ୍ଞମାନେ କହିଛନ୍ତି ।
ପ୍ରକାଶ ଥାଉ କି ସୋମବାର 4471 କେସ ବାହାରିବା ପରେ ପାକିସ୍ତାନରେ ମୋଟ୍ ଆକ୍ରାନ୍ତ 1 ଲକ୍ଷ 81 ହଜାର 88 ପହଞ୍ଚିଛି । ସେହିପରି 89 ଲୋକଙ୍କ ମୃତ୍ୟୁ ସହ ଏହା 3590 ଛୁଇଁଛି । ତେବେ ସ୍ମାର୍ଟ ଲକଡାଉନ ଯୋଗୁଁ ପଞ୍ଜାବରେ ଏବେ କୋରୋନା ସ୍ଥିତି କମିଥିବା ଜଣାପଡିଛି ।