ଇସଲାମାବାଦ: ପାକିସ୍ତାନରେ କୋରୋନା ଅତ୍ୟନ୍ତ ଭୟଙ୍କର ରୂପ ନେଉଛି । ପ୍ରଥମେ ସାଧାରଣ ଅବସ୍ଥା ଥିବା ଏହି ପଡୋଶୀ ଦେଶର ଏବେ ସାଙ୍ଘାତିକ ରୂପ ନେଇଛି କୋଭିଡ 19 । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ପାକିସ୍ତାନରେ 20 ହଜାର ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ସୋମବାର 1083ଟି ନୂଆ ମାମଲା ସ୍ପଷ୍ଟ ହୋଇଛି । ଫଳରେ ମୋଟ ଆକ୍ରାନ୍ତ 20 ହଜାର 186ରେ ପହଞ୍ଚିଛି । ଏହାସହ 24 ଘଣ୍ଟାରେ 22ଟି ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 462 ଛୁଇଁଛି । ଏପର୍ଯ୍ୟନ୍ତ 5590 ଲୋକ ସୁସ୍ଥ ହୋଇସାରିଛନ୍ତି । ସୋମବାର 9522ଟି ଟେଷ୍ଟ ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ 2 ଲକ୍ଷ 12 ହଜାର 511 କୋଭିଡ 19 ନମୁନା ପରୀକ୍ଷା ହୋଇସାରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ପାକିସ୍ତାନର ପଞ୍ଜାବରେ ସର୍ବାଧିକ 7524 କେସ ସାମନାକୁ ଆସିଛି । ଏହା ପଛକୁ ସିନ୍ଧରେ 7465ଟି ମାମଲା ବାହାରିଛି । ସେହିପରି ଖ୍ୟାବେର-ପଖଟୁଙ୍ଖୱାରେ 3129, ବାଲୋଚିସ୍ତାନରେ 1218, ଇସଲାମାବାଦରେ 415, ଗିଲଗିଟ-ବାଲଟିସ୍ତାନରେ 364 ଓ ପିଓକେରେ 71ଟି ପଜିଟିଭ ସ୍ପଷ୍ଟ ହୋଇଛି । ପାକିସ୍ତାନ ସରକାରଙ୍କ ପକ୍ଷରୁ ମେ 9 ଯାଏଁ ବୃଦ୍ଧି ଲକଡାଉନକୁ ବଢାଇବା ସମ୍ପର୍କରେ ବିଚାରବିମର୍ଶ ଚାଲିଥିବାବେଳେ ସାଧାରଣ ଲୋକେ ଏହାକୁ ବିରୋଧ କରୁଛନ୍ତି ।