ହଂକଂ: ହଂକଂରେ ଜାତୀୟ ସୁରକ୍ଷା ଆଇନର ଶୁଣାଣି ପାଇଁ ବିଚାରପତି ଚୟନ କରିବାକୁ ନେତା କ୍ୟାରି ଲ୍ୟାମଙ୍କୁ ଅଧିକାର ଦେଇଛି ଚୀନ । ଏହି ଆଇନ ବିରୋଧରେ ହଂକଂରେ ବିକ୍ଷୋଭର ସ୍ବର ଶାଣିତ ହେବାରେ ଲାଗିଥିବା ବେଳେ ନେତାଙ୍କୁ ଚୀନର ଏପରି ଅଧିକାର ଦେବା ଘଟଣା ବେଜିଂର ଆଇନଜୀବୀ ଓ ବିରୋଧୀ ନେତାଙ୍କୁ ଦ୍ବନ୍ଦରେ ପକାଇଛି । ଏଥିସହ ଚୀନର ପ୍ରକୃତ ଉଦ୍ଦେଶ୍ୟ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଦେଖାଯାଇଛି ।
ଏନେଇ ହଂକଂ ବାର ଆସୋସିଏସନ ଅଧ୍ୟକ୍ଷ ଫିଲିପ ଡାଇକଙ୍କ କହିବା ଅନୁଯାୟୀ ଏହା ଅତି ଆଶ୍ଚର୍ଯ୍ୟକର କି ସମ୍ପୃକ୍ତ ଘଟଣାର ଶୁଣାଣି ପାଇଁ କୌଣସି ପକ୍ଷଙ୍କୁ ବିଚାରପତି ଚୟନ କରିବାର ଅଧିକାର ଦିଆଯାଇଛି । ସେପଟେ ବିରୋଧୀ ସିଭିକ ଦଳ ନେତା ଆଲଭିନ ୟେଉଙ୍ଗ ଗୋକ-କିୟୁ ଶୁଣାଣି ପାଇଁ ବିଚାରପତି ଚୟନରେ କେବଳ ବେଜିଂ ସପକ୍ଷବାଦୀ କ୍ୟାରିଙ୍କୁ ଅଧିକାର ଦେବା ଅନ୍ୟାୟ ଘଟଣା ବୋଲି ମତ ଦେଇ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ସେହିପରି ସିଡନୀ ୟୁନିଭର୍ସିଟିର ଆଇନ ଅଧ୍ୟାପକ ଲିଙ୍ଗ ବିଙ୍ଗ କହିଛନ୍ତି କି କ୍ୟାରିଙ୍କୁ ଦିଆଯାଇଥିବା ଅଧିକାର ଦ୍ବାରା ଆଗାମୀ ଦିନରେ ହଂକଂର ଆଇନଗତ ସ୍ବାଧୀନତା କ୍ଷୁର୍ଣ୍ଣ ହେବ । ସେ ଏହା ମଧ୍ୟ କହିଛନ୍ତି କି ଯଦି ହଂକଂ ନିଜ ଜାତୀୟ ସୁରକ୍ଷା ପାଇଁ ଲଢେଇ ଆରମ୍ଭ କରିଛି ତେବେ ବେଜିଂ ମଧ୍ୟ ହଂକଂର ଆଇନ ବ୍ୟବସ୍ଥାକୁ ଏକ ସାଧାରଣ ଓ ବ୍ୟବସ୍ଥିତ ଢଙ୍ଗରେ ମାମଲାର ଶୁଣାଣି କରିବା ପାଇଁ ସୁଯୋଗ ଦେବା ଉଚିତ୍ । ଏଥିପାଇଁ ହଂକଂର ରାଜ୍ୟପାଳ କିମ୍ବା ମେୟରଙ୍କ ଅନୁମତିରେ ବିଚାରପତି ଚୟନ ପ୍ରକ୍ରିୟା ହେବା ଦରକାର । କିନ୍ତୁ ସମ୍ପୃକ୍ତ ଘଟଣାରେ ଏପରି କିଛି ହୋଇଥିବା ଦେଖାଯାଇନାହିଁ ।
ସୂଚନା ଅନୁଯାୟୀ ଏହି ବିବାଦୀୟ ଜାତୀୟ ସୁରକ୍ଷା ଆଇନକୁ ନେଇ କେବଳ ହଂକଂ ନୁହେଁ ବରଂ ବିଦେଶରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଆଇନରେ 6ଟି ଅଧ୍ୟାୟ ଓ 66ଟି ଧାରା ବା ଆର୍ଟିକିଲ ରହିଛି । ଏଥିରେ ହଂକଂର ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକୀୟ ସାଧାରଣ ବିଧି ବ୍ୟବସ୍ଥା, ନାଗରିକଙ୍କ ଦାୟିତ୍ବ ତଥା ଅପରାଧ ବିରୋଧରେ ଦଣ୍ଡ ବ୍ୟବସ୍ଥା ଓ ଅନ୍ୟ ସାଧାରଣ ଆଇନ କାନୁନ ଆଦି ଉଲ୍ଲେଖ ରହିଛି । ଏନେଇ ପର୍ଯ୍ୟାୟକ୍ରମେ ଆଲୋଚନା ଜାରି ରହିଛି । ଏହି ଆଲୋଚନାର ନିଷ୍କର୍ଶ ଚୀନ ଖୁବଶୀଘ୍ର ଘୋଷଣା କରିବା ନେଇ ଜଣା ପଡିଛି ।
@ANI