ହଂକଂ: ମଙ୍ଗଳବାର ରାତିରୁ ହଂକଂରେ ଲାଗୁ ହୋଇଥିବା ଜାତୀୟ ସୁରକ୍ଷା ନିୟମ ଅନୁଯାୟୀ ସହରରେ ଅନେକ ନୂଆ କଟକଣା ଜାରି ହୋଇଛି । ସାଧାରଣ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ସହ ସହରରେ ଅପରାଧକୁ 4ଟି ଭାଗରେ ବିଭକ୍ତ କରାଯାଇଛି । ତେବେ ହଂକଂରେ ନୂଆ ଆଇନ ଲାଗୁ ହେବା ପରେ ଆମେରିକା ଓ କାନାଡା ମଧ୍ୟ ନିଜ ଆଡୁ ହଂକଂ ପ୍ରତି ବିଭିନ୍ନ ନୀତିରେ ବ୍ୟତିକ୍ରମ କରିଛନ୍ତି । ଏମିତିରେ ଲାଗୁ ହୋଇଥିବା ନୂଆ ନିୟମ ବିରୋଧୀ କୌଣସି ପୁସ୍ତକ ଲୋକଙ୍କ ପାଖରେ ପହଞ୍ଚିବାର ଡର ସୃଷ୍ଟି ହୋଇଛି ।
ଏହି ଡର ପାଇଁ ରବିବାର ହଂକଂର ସମସ୍ତ ପୁସ୍ତକାଳୟରୁ ସ୍ଥାନୀୟ ଲେଖକଙ୍କ ବହିକୁ ହଟାଇ ଦିଆଯାଇଛି । ଏହି ବହି ସବୁରେ ଥିବା ତଥ୍ୟ ଲୋକଙ୍କୁ ଉତ୍ତେଜିତ କରିବା ଭଳି ନ ହେଉ କିମ୍ବା ଏଥିରେ ବର୍ତ୍ତମାନର ଆଇନ ବିରୋଧୀ ମତ ଯେପରି ନ ରହିବ ସେଥିପାଇଁ ବହିଗୁଡିକର ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟତଃ ପୁସ୍ତକାଳୟରୁ ସ୍ଥାନୀୟ ଲେଖକ ଓ ଗଣତନ୍ତ୍ରର ସମର୍ଥକ ଆଇନଜୀବୀଙ୍କ ପୁସ୍ତକକୁ ହଟାଇ ଦିଆଯାଇଥିବା ଜଣା ପଡିଛି ।
ହଂକଂରେ ସମସ୍ତ ସାର୍ବଜନୀନ ପୁସ୍ତକାଳୟକୁ ଅବକାଶ ଓ ସାଂସ୍କୃତିକ ସେବା ବିଭାଗ ପରିଚାଳିତ କରୁଥିବା ବେଳେ ବର୍ତ୍ତମାନ ଲାଗୁ ହୋଇଥିବା ନୂଆ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ନୀତି ଉଲଙ୍ଘନକାରୀ ସନ୍ଦେହରେ ପ୍ରାୟ 9ଟି ପୁସ୍ତକର ବିକ୍ରି ଉପରେ ରୋକ ଲଗାଯାଇଛି । ଏଗୁଡିକର ନାମ ପ୍ରକାଶ ପାଇନଥିବା ବେଳେ ଏଗୁଡିକର ଲେଖକଙ୍କ ମଧ୍ୟରେ ରହିଛନ୍ତି ସମାଜସେବୀ ଜୋସୁଆ ୱୋଙ୍ଗ, ଆଞ୍ଚଳିକ ଲେଖକ ହୋରାସ ଚିନ ଓ ସିଭିକ ପାର୍ଟି ଆଇନଜୀବୀ ତାନ୍ୟା ଚାନ ।
ତେବେ ସହରବାସୀଙ୍କୁ ଅବଗତ କରାଇବା ପାଇଁ ଅନଲାଇନ ପ୍ଲାଟଫର୍ମରେ ଏହି ପୁସ୍ତକଗୁଡିକୁ ସର୍ଚ୍ଚ କଲେ ସେଗୁଡିକର ସମୀକ୍ଷା ଚାଲିଥିବା ଦର୍ଶାଇ ଦିଆଯାଉଛି । ସମୀକ୍ଷା ପରେ ଏଗୁଡିକ ବିକ୍ରି ହୋଇପାରିବ କି ନାହିଁ, ତାହା ମଧ୍ୟ ଅନଲାଇନ ପ୍ଲାଟଫର୍ମରେ ଦର୍ଶାଇଦିଆଯିବା ନେଇ ସୂଚନା ରହିଛି । ସେପଟେ ଜୁଲାଇ 2ରୁ ପୁସ୍ତକଗୁଡିକର ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି ।
@IANS