ଢାକା: ବାଂଲାଦେଶକୁ ପୁଣି ଘନେଇଛି ବଡ ଧରଣର ସଂକ୍ରମଣ ଭୟ । ଏନେଇ ବାଂଲାଦେଶୀ ଅଧିକାରୀ କକ୍ସ ବଜାର ମ୍ୟୁନିସିପାଲିଟିରେ ଲକଡାଉନ ଘୋଷଣା କରିଛନ୍ତି । ଏହି ଜିଲ୍ଲାର କେତେକ ଅଞ୍ଚଳରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ କ୍ୟାମ୍ପ ପାଖ ଅଞ୍ଚଳଗୁଡିକରେ ସଂକ୍ରମଣର ଅଧିକ ଭୟ ରହିଛି । ତେଣୁ ଏହି ଅଞ୍ଚଳଗୁଡିକୁ କୋଭିଡ-19 ରେଡ ଜୋନ ଘୋଷଣା କରିଛନ୍ତି ସରକାର ।
ବିଶ୍ବର ସର୍ବବୃହତ ଶରଣାର୍ଥୀ କ୍ୟାମ୍ପରେ ସପ୍ତାହକ ମଧ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପୁଥିବା ଦେଖିବାକୁ ମିଳିଛି । ସରକାର ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ କଟକଣା କୋହଳ କରିବାର ସପ୍ତାହେ ପରେ ଏହି ଅବସ୍ଥା ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରଶାସନିକ ଅଧିକାରୀ ମହମ୍ମଦ କମଲ ହୋସେନ ଏନେଇ ଆଞ୍ଚଳିକ ସଂସ୍ଥାଗୁଡିକୁ ସୂଚନା ଦେଇ କହିଛନ୍ତି କି ସମ୍ପୃକ୍ତ ଅଞ୍ଚଳରେ କୋରୋନା ସ୍ଥିତି ଦେଖି ଏକ ଆପାତକାଳୀନ ବୈଠକରେ ଏହାକୁ ଲକଡାଉନ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଶନିବାରଠାରୁ ଆରମ୍ଭ ହୋଇ ଆସନ୍ତା ଜୁନ 20 ଯାଏଁ ଏହା ବଳବତ୍ତର ରହିବ । ଏହି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା 877 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ କକ୍ସ ବଜାର ନିକଟସ୍ଥ ଶରଣାର୍ଥୀ କାମ୍ପ ପାଖ ଅଞ୍ଚଳରେ କେବଳ 364 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଶରଣାର୍ଥୀ କ୍ୟାମ୍ପରେ 35 ଜଣ ଶରଣାର୍ଥୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ତେବେ ଏହି ଲକଡାଉନ ସମୟରେ ସରକାର କୌଣସି ପ୍ରକାର ବ୍ୟକ୍ତିଗତ, ପାରିବାରିକ, ସାମାଜିକ କିମ୍ବା ରାଜନୈତିକ ସମାବେଶ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳରେ କୌଣସି ପବ୍ଲିକ ଟ୍ରାନ୍ସପୋର୍ଟର ସୁବିଧା ଜୁନ 20 ଯାଏଁ ରହିବ ନାହିଁ । ଏଥିସହ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ରହିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରୁଥିବା ଗାଡି ଗୁଡିକୁ କେବଳ ସକାଳ 8ଟାରୁ ସନ୍ଧ୍ୟା 8ଟା ପର୍ଯ୍ୟନ୍ତ ପରିବହନ ପାଇଁ ଅନୁମତି ଦିଆଯାଇଛି । ସେହିପରି ରାସନ ସାମଗ୍ରୀ ଦୋକାନ ଶନିବାର ଓ ରବିବାର 8 ଘଣ୍ଟା ପାଇଁ ଖୋଲା ରହିବ । ହେଲେ ଅନ୍ୟ ଦୋକାନ ଓ ଉଦ୍ୟୋଗ ଇତି ମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିବ ।
କଟକଣାରୁ ହସ୍ପିଟାଲ, ଔଷଧ ବ୍ୟବସାୟ, ଆମ୍ବୁଲାନ୍ସ, ରୋଗୀଙ୍କୁ ବହନ କରୁଥିବା ଗାଡି, ସ୍ବାସ୍ଥ୍ୟ ଓ ଜରୁରୀ ସେବା କର୍ମଚାରୀ ଆଦି ବାଦ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ତେବେ ଏମର୍ଜେନ୍ସି ସେବା ଯୋଗାଉଥିବା ସଂସ୍ଥା ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ଗୁରୁବାର ଓ ରବିବାର କାର୍ଯ୍ୟକାରୀ ହେବ । ବର୍ତ୍ତମାନ ସୁଦ୍ଧା ବାଂଲାଦେଶରେ 60,391 ଆକ୍ରାନ୍ତ ଚିହ୍ନଟ ହେବା ସହ 811 ଜଣଙ୍କ ମୃତ୍ୟୁ ହୋଇସାରିଛି ।
@IANS