କ୍ବେଟା: ଗତ ଦଶନ୍ଧି ଧରି ବାଲୁଚବାସୀ ବାରମ୍ବାର ନିଖୋଜ ଏବଂ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଆଉ ଏଥିପାଇଁ ସେମାନେ ପାକିସ୍ତାନ ସେନାକୁ ଦାୟୀ କରୁଛନ୍ତି । ତେବେ ବାଲୁଚବାସୀ ଏବଂ ପାକିସ୍ତାନ ମଧ୍ୟରେ ଜାରି ଦୀର୍ଘ ଦିନର ଏହି ବିବାଦ ଏବେ ସଂଘର୍ଷରେ ପରିଣତ ହୋଇଛି । ଶୁକ୍ରବାର 7 ଜଣ ପାକିସ୍ତାନ ସୈନ୍ୟଙ୍କୁ ହତ୍ୟା କରିଛନ୍ତି ବାଲୁଚ ବିଦ୍ରୋହୀ ।
ଶୁକ୍ରବାର ଦିନ ଝାଓ ଏବଂ ମଶକାଇରେ ପାକିସ୍ତାନୀ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ବାଲୁଚିସ୍ତାନ ଲିବରେସନ ଫ୍ରଣ୍ଟ ନିଜକୁ ଦାୟୀ କରିଛି । ବାଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ ମୁଖପାତ୍ର ଗବାହରାମ ବାଲୋଚ ଏନେଇ ଏକ ବିବୃତ୍ତିରେ କହିଛନ୍ତି, ଶୁକ୍ରବାର ରାତିରେ ସରମାଚାର୍ସ (ବାଲୁଚ ସ୍ୱାଧୀନତା ସଂଗ୍ରାମୀ) ମଶକାଇ ଉପତ୍ୟକାର ମାଙ୍ଗୁଲି ଚେକ୍ ପୋଷ୍ଟ ଉପରେ ସ୍ନାଇପର ଏବଂ ଭାରୀ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ପାକିସ୍ତାନ ସେନାର ତିନିଜଣ କର୍ମଚାରୀ ନିହତ ହୋଇଥିଲେ ଏବଂ ଜଣେ ଆହତ ହୋଇଥିଲେ।
ଅନ୍ୟ ଏକ ଆକ୍ରମଣର ଦାୟିତ୍ୱ ଗ୍ରହଣ କରି ସେ କହିଛନ୍ତି, ଶୁକ୍ରବାର ସକାଳ 8 ଟା ସମୟରେ ଝାଓର ନୋଣ୍ଡାରା ଅଞ୍ଚଳରେ ପାକିସ୍ତାନୀ ସେନାର ପାଟ୍ରୋଲିଂ ଦଳ ଉପରେ ବାଲୁଚ ବିଦ୍ରୋହୀ ଆକ୍ରମଣ କରିଥିଲେ। ସେନା କର୍ମଚାରୀଙ୍କ ଏକ ଦଳ ଦାରାଜ କୌର ନଦୀ ଆଡକୁ ଅଗ୍ରସର ହେଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଏହି ଭୟଙ୍କର ଆକ୍ରମଣରେ ପାକିସ୍ତାନୀ ସେନାର ଚାରିଜଣ କର୍ମଚାରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିଲେ ବୋଲି ସେ କହିଛନ୍ତି ।
ତେବେ ବାଲୁଚିସ୍ତାନ ପାକିସ୍ତାନ କବଳରୁ ମୁକ୍ତ ହେବା ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି ସେ କହିଛନ୍ତି ।