ୱାଶିଂଟନ: ଚଳିତବର୍ଷ ଫେବୃଆରୀ 29ରେ ଦୋହାରେ ଆମେରିକା ଓ ତାଲିବାନ ମଧ୍ୟରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତି ଆଧାରରେ ଆମେରିକା ଆଫଗାନିସ୍ତାନରେ ନିୟୋଜିତ ଟ୍ରୁପ ସଂଖ୍ୟାକୁ ହ୍ରାସ କରିବାକୁ ଯାଉଛି । ଚୁକ୍ତି ଅନୁଯାୟୀ ଆଫଗାନିସ୍ତାନରେ ନିୟୋଜିତ 13,000 ଆମେରିକୀୟ ଟ୍ରୁପଙ୍କୁ ଜୁଲାଇ 2020 ସୁଦ୍ଧା 8600କୁ ହ୍ରାସ କରିବା ନେଇ ପ୍ରତିଶୃତି ଦେଇଥିଲା । ଏନେଇ ଶନିବାର ଆମେରିକା ଆଫଗାନିସ୍ତାନରୁ 4000ରୁ ଉର୍ଦ୍ଧ୍ବ ଟ୍ରୁପ ପ୍ରତ୍ୟାହାର କରିବା ନେଇ ସ୍ପଷ୍ଟ କରିଛି ।
ପ୍ରାୟ ସପ୍ତାହେ ତଳେ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନେରାଲ କେନ୍ନେଥ ମ୍ୟାକକେଞ୍ଜି କହିଥିଲେ କି ଆଫଗାନିସ୍ତାନରେ ଆମେରିକା ନିଜ ଟ୍ରୁପ ସଂଖ୍ୟା 8600କୁ ହ୍ରାସ କରିଛି । ଚୁକ୍ତି ମୁତାବକ ଆମେରିକା ନିଜ ପ୍ରତିଶୃତି ରକ୍ଷା କରିଛି । ତେବେ ଆମେରିକାର ଆଗାମୀ ପଦକ୍ଷେପ ହେଉଛି 2021 ଆରମ୍ଭ ସୁଦ୍ଧା ଟ୍ରୁପ ସଂଖ୍ୟାକୁ ହ୍ରାସ କରି 4500 କରିବା । ଏହାପରେ ଆଗାମୀ ବର୍ଷ ଏପ୍ରିଲ ସୁଦ୍ଧା ସମସ୍ତ ଟ୍ରୁପକୁ ଆଫଗାନିସ୍ତାନରୁ ବହିଷ୍କାର କରିବା ପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରିଛି ।
ଆମେରିକୀୟ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଓ ନାଟୋ(ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ) ସଚିବ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗଙ୍କ ମଧ୍ୟରେ ବ୍ରୁସେଲ୍ସରେ ଆଲୋଚନାର ଗୋଟିଏ ଦିନ ପରେ ଆମେରିକା ଚୁକ୍ତି ଆଧାରିତ ନିଷ୍ପତ୍ତି ନେଇ ଘୋଷଣା କରିଥିଲା । ଏନେଇ ଷ୍ଟୋଲଟେନବର୍ଗ କହିଛନ୍ତି କି ଆଫଗାନିସ୍ତାନ ସହ ନାଟୋ ପରବର୍ତ୍ତୀ ପର୍ଯ୍ୟାୟ ନେଇ ଆଲୋଚନା କରିବ ଓ ଆଫଗାନିସ୍ତାନରେ ଆମେରିକୀୟ ସେନା ନିୟନ୍ତ୍ରଣରେ ମଧ୍ୟ ନାଟୋ ସାହାଯ୍ୟ କରିବ ।
@IANS