କାବୁଲ: ପୂର୍ବ ଆଫଗାନିସ୍ତାନରେ ତାଲିବାନ ବିରୋଧରେ ସୁରକ୍ଷା ବାହିନୀର ଏୟାର ଷ୍ଟ୍ରାଇକ । ଏହି ଏୟାର ଷ୍ଟ୍ରାଇକ୍ରେ 45 ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଅଧିକାରୀ ବୁଧବାର ସ୍ପଷ୍ଟ କରିଛନ୍ତି । ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକଙ୍କ ସମେତ ତାଲିବାନ ସଦସ୍ୟ ମଧ୍ୟ ରହିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅତି କମରେ 8 ଜଣ ସାଧାରଣ ନାଗରିକ ଅଛନ୍ତି । ଏନେଇ ପୂର୍ବ ଆଫଗାନିସ୍ତାନର ହେରାଟ ପ୍ରଦେଶର ଆଡ୍ରାସକାନ ଜିଲ୍ଲାର ରାଜ୍ୟପାଳ ଅଲି ଅହମ୍ମଦ ଫକିର ୟାର ସୂଚନା ଦେଇଛନ୍ତି ।
ଏନେଇ ଅହମ୍ମଦ କହିଛନ୍ତି, ଖାମ ଜିଆରାଟ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ୪୫ଜଣ ପ୍ରାଣ ହରାଇଛନ୍ତି। ମୃତ ୪୫ଜଣଙ୍କ ମଧ୍ୟରେ ତାଲିବାନ ମଧ୍ୟ ରହିଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଅତି କମରେ ଆଠ ଜଣ ସାଧାରଣ ନାଗରିକ ଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଅବଶିଷ୍ଟ ୩୭ଜଣଙ୍କ ମଧ୍ୟରୁ କେତେଜଣ ସାଧାରଣ ନାଗରିକ ଏବଂ କେତେଜଣ ତାଲିବାନ ସଦସ୍ୟ ଥିଲେ ତାହା ସ୍ପଷ୍ଟ ହୋଇନାହିଁ।
ତେବେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ କହିଛି, ଏହି ଅଞ୍ଚଳରେ ଆଫଗାନିସ୍ତାନ ସୈନ୍ୟଙ୍କ ଆକ୍ରମଣରେ ସାଧାରଣ ନାଗରିକ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରାଯାଉଛି। ଅନୁସନ୍ଧାନର ଫଳାଫଳ ଜନସାଧାରଣ ଏବଂ ଗଣମାଧ୍ୟମ ସହିତ ଖୁବ ଶୀଘ୍ର ସେୟାର କରାଯିବ। ଲୋକମାନଙ୍କର ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା କରିବା ରାଷ୍ଟ୍ରୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀର ଦାୟିତ୍ବ ବୋଲି ମନ୍ତ୍ରାଳୟ କହିଛି ।
ସେପଟେ ଆମେରିକା ଏହି ଏୟାର ଷ୍ଟ୍ରାଇକରେ ସାମିଲ ନଥିବା ସ୍ପଷ୍ଟ କରିଛି । ଆଫଗାନିସ୍ତାନରେ ଆମେରିକାର ସୈନ୍ୟବାହିନୀର ମୁଖପାତ୍ର ଏନେଇ କହିଛନ୍ତି, ବୁଧବାର ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ଆମେରିକା ଭାଗ ନେଇନାହିଁ ।
ଫେବୃଆରୀରେ ତାଲିବାନ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଆମେରିକା ସେଠାରୁ ନିଜ ସୈନ୍ୟ ପ୍ରତ୍ୟାହାର କରୁଛି । ଯାହାର ଉଦ୍ଦେଶ୍ୟ ତାଲିବାନ ବିଦ୍ରୋହୀ ଏବଂ ଆଫଗାନ ସରକାରଙ୍କ ମଧ୍ୟରେ ଶାନ୍ତିବାର୍ତ୍ତାର ମାର୍ଗ ପ୍ରଶସ୍ତ କରିବା । ସୋପଟେ ତାଲିବାନ ଏବଂ ଆଫଗାନ ସରକାରଙ୍କ ମଧ୍ୟରେ ଶାନ୍ତିବାର୍ତ୍ତା ଏବେସୁଦ୍ଧା ହୋଇପାରିନାହିଁ । ତାଲିବାନ ଦାବି କରୁଥିବା ବନ୍ଦୀମାନଙ୍କୁ ଏବେସୁଦ୍ଧା ମୁକ୍ତ ନକରିବା ଏବଂ ତାଲିବାନ ଦ୍ବାରା ସାରା ଦେଶରେ ହିଂସା ବୃଦ୍ଧି ପାଇଥିବା ଯୋଗୁଁ ଏହି ଶାନ୍ତିବାର୍ତ୍ତାରେ ବାଧା ସୃଷ୍ଟି ହୋଇଛି ।
ସେପଟେ ଏହି ଏୟାର ଷ୍ଟ୍ରାଇକ୍କୁ ନେଇ ତାଲିବାନର ମୁଖପାତ୍ର କାରୀ ମହମ୍ମଦ ୟୁସୁଫ ଅହମ୍ମଦ ଏକ ବିବୃତ୍ତିରେ କହିଛନ୍ତି, ଦୁଇଟି ଏୟାର ଷ୍ଟ୍ରାଇକ୍ରେ 8 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ 12 ଜଣ ଆହତ ହୋଇଛନ୍ତି ।