କାବୁଲ: ଗତ 2 ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନର ଆକ୍ରମଣରେ ପ୍ରାୟ 89 ନାଗରିକଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ପ୍ରାୟ 150 ଜଣ ଆହତ ହୋଇଥିବା ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ନେଶନାଲ ସିକ୍ୟୁରିଟି କାଉନ୍ସିଲ(ଏନଏସସି) ଦ୍ବାରା ଶନିବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ତଖାର ପ୍ରାନ୍ତରେ ହୋଇଥିବା ଆକ୍ରମଣରେ ଆଫଗାନିସ୍ତାନର 7 ଜଣ ସୁରକ୍ଷାକର୍ମୀ, 15 ଜଣ ତାଲିବାନର ଯୁବକ ଏବଂ ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ଏନଏସସିର ମୁଖପାତ୍ର ଜାଭେଦ ଫୈସଲ ଏନେଇ କହିଛନ୍ତି, ତାଲିବାନ ଆଫଗାନିସ୍ତାନର 89 ନାଗରିକଙ୍କୁ ହତ୍ୟା କରିଛି । ତାଲିବାନର ଆକ୍ରମଣରେ ଦେଶର 29 ପ୍ରାନ୍ତରୁ ପ୍ରାୟ 150 ଜଣ ଆହତ ହୋଇଛନ୍ତି । କନ୍ଧାର ପ୍ରାନ୍ତରୁ ସର୍ବାଧିକ 22 ଜଣ ପ୍ରାଣ ହରାଇଥିବାବେଳେ କାବୁଲରୁ ସର୍ବାଧିକ 44 ଜଣ ଆହତ ହୋଇଛନ୍ତି ।
ତେବେ ଏନେଇ ଆଫଗାନିସ୍ତାନର ଜଣେ ମନ୍ତ୍ରୀ କହିଛନ୍ତି, ସମସ୍ତେ ଶାନ୍ତି ପାଇଁ ପ୍ରତିବଦ୍ଧ ହେବେ ବୋଲି ମୋର ବିଶ୍ବାସ ରହିଛି । ଯଦି ତାଲିବାନ ଶାନ୍ତି ସନ୍ଦେଶର ସକାରାତ୍ମକ ଜବାବ ଦିଏ ତାହେଲେ ଆମେ ପ୍ରତିବଦ୍ଧ ରହିବୁ । ଯଦି ତାଲିବାନ ଆକ୍ରମଣ କରେ ତାହେଲେ ଆମେ ଯୁଦ୍ଧ ଉପରେ ଜୋର ଦେବୁ ବୋଲି ସେ କହିଛନ୍ତି ।
ସୌଜନ୍ୟ@ANI