ବେଜିଂ: ଚୀନର ଏକ ଭଡା ଘରେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୭ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଆଜି(ରବିବାର) ଭୋର ୫.୩୦ ସମୟରେ ଚୀନର ଦକ୍ଷିଣ-ପୂର୍ବ ଡାଲିଆନ ଅଞ୍ଚଳରେ ଏକ ୫ ମହଲା ବିଶିଷ୍ଟ ଭଡା ଘରେ ବିସ୍ଫୋରଣ ଘଟିଥିଲା । କୋଠାର ୫ ମହଲାରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ଏଥିରେ ପାଖାପାଖି ୨୮ ଜଣ ବସବାସ କରୁଥିଲେ । ଉଦ୍ଧାର କାର୍ଯ୍ୟରେ ୪୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଦୀର୍ଘ ଘଣ୍ଟାର ପରିଶ୍ରମରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ ।
ତେବେ କୋଠାର ଉପର ମହଲା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଏଥିସହ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ତେବେ ଚୀନର ଏହି ଅଞ୍ଚଳରେ ଗତ ସପ୍ତାହ ମଧ୍ୟରେ ଏହାକୁ ମିଶାଇ ଦୁଇ ଦୁଇ ଥର ବିସ୍ଫୋରଣ ଘଟିଲାଣି । ଗତ ଗୁରୁବାର ମଧ୍ୟ ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୪୭ ଜଣ ଆହତ ହୋଇଥିଲେ ।
@ANI