ଟୋକିଓ: ଜାପାନ ସମୁଦ୍ରରେ ବଡ ଧରଣର ଦୁର୍ଘଟଣା । ଉତ୍ତରପୂର୍ବ ଜାପାନର ଆଓମୋରିରେ ଏକ ପଣ୍ୟବାହୀ କାର୍ଗୋ ଜାହାଜ ଓ ମାଛଧରା ଡଙ୍ଗା ମଧ୍ୟରେ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ପଣ୍ୟବାହୀ କାର୍ଗୋ ଜାହାଜର 13 ଜଣ କ୍ରୁ ମେମ୍ବର ସମୁଦ୍ରରେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି ।
14 କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା 1989 ଟନ ଓଜନର ଗୁଓଜିଂ-1 ଜାହାଜ ମାଛ ଡଙ୍ଗା ସହ ଧକ୍କା ହେବା ପରେ ସଙ୍ଗେସଙ୍ଗେ ସମୁଦ୍ରରେ ବୁଡିଯାଇଥିଲା । ପ୍ରଶାନ୍ତ ମହାସାଗରର ରୋକ୍କୋସୋ ସମୁଦ୍ରକୂଳଠୁ 12 କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଥିବା କୋଷ୍ଟଗାର୍ଡ ସୂଚନା ଦେଇଛନ୍ତି । ନିଖୋଜ କ୍ରୁ ମେମ୍ବରଙ୍କୁ ତଟରକ୍ଷୀମାନେ ଖୋଜାଖୋଜି କରୁଛନ୍ତି । ନିଖୋଜ କ୍ରୁ ମେମ୍ବରମାନଙ୍କ ମଧ୍ୟରେ 7 ଜଣ ଚୀନରୁ ଥିବା ବେଳେ, 5 ଜଣ ଭିଏତନାମା ଓ ଜଣେ ଫିଲିପାଇନ୍ସରୁ ଥିବା ଜାଣାପଡିଛି । ଜଣେ ଭିଏତନାମା କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ଦୁର୍ଘଟଣାରେ ବୁଡିଯାଇଥିବା ଜାହାଜଟି 3150 ଟନର ଧାତୁ ନେଇ ଆଓମୋରିର ହଚିନୋ ବନ୍ଦରରୁ ଦକ୍ଷିଣ କୋରିଆ ଯାଉଥିଲା । ଅନ୍ୟପକ୍ଷେ ଘଟଣାରେ ମାଛଧରା ଡଙ୍ଗାର ସମସ୍ତ 15 ମାଛଧରାଳି ସୁରକ୍ଷିତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ