ୱାଶିଂଟନ: ସଫଳତା ଜାରି ରଖିଛି ବିଜ୍ଞାନ ! ଗୋଟିଏ ପରେ ଗୋଟିଏ ଅଦ୍ଭୂତ ସଫଳତାର ପୃଷ୍ଠା ଯୋଡୁଛି ବିଜ୍ଞାନ । ଏହି ପରିପ୍ରେକ୍ଷୀରେ ଆଉ ଏକ ବିରଳ ସଫଳତା ହାସଲ କରିଛନ୍ତି ଆମେରିକାର ବୈଜ୍ଞାନିକମାନେ । ମଣିଷ ଶରୀରରେ ଘୁଷୁରୀର କିଡନୀ ପ୍ରତ୍ୟାରୋପଣ କରି ନୂଆ ଇତିହାସ ଜୋଡିଛନ୍ତି ।
ଦିନକୁ ଦିନ ମନୁଷ୍ୟ ଶରୀରରେ ବୃଦ୍ଧି ପାଉଛି କିଡନୀ ରୋଗ । ଏହା ଏପରି ଏକ ରୋଗ ଯାହା ବଞ୍ଚିବାର ଆଶାକୁ କ୍ଷୀଣ କରିଦିଏ । କେତେକ ବ୍ୟକ୍ତିଙ୍କର ମଧ୍ୟ କିଡନୀ ପ୍ରତ୍ୟାରୋପଣ ହୋଇନପାରି ଅସମୟରେ ଜୀବନ ଯାଏ । ତେବେ କିଡନୀ ପ୍ରତ୍ୟାରୋପଣ ପାଇଁ ମାନବ ଅଙ୍ଗ ଯଥେଷ୍ଟ ପରିମାଣରେ ଉପଲବ୍ଧ ନ ଥିବାରୁ ବୈଜ୍ଞାନିକମାନେ ପ୍ରାଣୀ ଅଙ୍ଗ ପ୍ରତିରୋପଣ କଥା ଅନେକ ଦଶନ୍ଧି ଧରି ଚିନ୍ତା କରିଆସୁଥିଲେ ।
ଏଥିରେ ଘୁଷୁରୀକୁ ପରୀକ୍ଷା ପାଇଁ ନିଆଯାଇଥିଲା । କିନ୍ତୁ ଘୁଷୁରୀ କୋଷରେ ଥିବା ଏକ ପ୍ରକାର 'ସୁଗାର' ବାଧକ ସାଜିଥିଲା । ତେଣୁ ମାନବ ଶରୀରରେ ଘୁଷୁରି ଅଙ୍ଗ ପ୍ରତିରୋପଣ କଲେ ତାହା ସଫଳ ହୁଏ ନାହିଁ । କିନ୍ତୁ ବର୍ତ୍ତମାନ ହୋଇଥିବା ସଫଳ ପ୍ରତିରୋପଣରେ କିଛି ଭିନ୍ନତା ରହିଛି । ଘୁଷୁରିର କିଡନୀରେ ବୈଜ୍ଞାନିକମାନେ ଜିନ୍-ଏଡିଟେଡ୍ ଅର୍ଥାତ୍ ଜିନ୍ ପରିବର୍ତ୍ତନ କରି ପ୍ରାଣୀ ଶରୀରରେ ପ୍ରତ୍ୟାରୋପଣ କରିଛନ୍ତି । ଯେଉଁଥିରେ ଘୁଷୁରି ଶରୀରରେ ଥିବା 'ସୁଗାର' ନଥିଲା ।
ତେଣୁ ଏହି କିଡନୀ ମଣିଷ ଶରୀରରେ ସଫଳ ପ୍ରତ୍ୟାରୋପଣ ହୋଇଛି । ମଣିଷ ଶରୀରରେ ଘୁଷୁରୀ କିଡନୀ ଲଗାଇବା ପୂର୍ବରୁ ବାହାରେ ଏହାକୁ 2 ଦିନ ଧରି ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ତାହା ମଣିଷ ଶରୀରରେ ଠିକ୍ କାମ କରୁଛି ବୋଲି ଏନୱାଇୟୁ ଲାଙ୍ଗୋର ହେଲଥ୍ ସର୍ଜିକାଲ ଟିମର ମୁଖ୍ୟ ଡ. ରବର୍ଟ ମଣ୍ଟଗୋମେରୀ କହିଛନ୍ତି । ଘୁଷୁରୀ କିଡନୀ ପ୍ରତ୍ୟାରୋପଣ ହୋଇଥିବା ବ୍ୟକ୍ତିଙ୍କ ଶରୀର ପୂର୍ବପରି କାମ କରୁଛି । ପୂର୍ବରୁ ତାଙ୍କ ଶରୀରରେ କ୍ରିଏଟିନାଇନ୍ ସ୍ତର ଅସ୍ୱାଭାବିକ ଥିଲା କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ସ୍ଥିର ଦେଖାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ