ବ୍ରାସିଲିଆ: ଚାରିଆଡେ ଧୂଆଁ । ଯୁଆଡେ ଦେଖିଲେ ଖାଲି ଧୂଆଁ ଆଉ ଧୂଆଁ । ଜଳିଯାଉଛି ଗଛପତ୍ର । ଜୀବନ ବଞ୍ଚାଇବାକୁ ଧାଉଁଛନ୍ତି ଜୀବଜନ୍ତୁ । କାରଣ ଜଙ୍ଗଲରେ ଲାଗିଛି ନିଆଁ । ଏହା ଯେମିତି ସେମିତି ଜଙ୍ଗଲ ନୁହେଁ, ପୃଥିବୀର ଫୁସଫୁସ ବ୍ରାଜିଲର ଆମାଜନ ଜଙ୍ଗଲ । ବିଶ୍ବର ସବୁଠାରୁ ବଡ ‘ରେନ ଫରେଷ୍ଟ’ରେ ନିଆଁ ଲାଗି ସମଗ୍ର ପୃଥିବୀ ପ୍ରତି ବିପଦ ସୃଷ୍ଟି କରିଛି ।
ତେବେ ଏହି ନିଆଁ ଏପରି ଭାବେ ଲାଗିଛି ଯେ ମାନବ ସମାଜ ପ୍ରତି ବିପଦ ଭାବେ ଠିଆ ହୋଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଯେ ଏହାର ଧୂଆଁରେ ବ୍ରାଜିଲର ଏକ ସହର ଆଚ୍ଛାଦିତ ହୋଇଛି । ଦିନବେଳାରେ ମଧ୍ୟ ଏହା ରାତି ଭଳି ଲାଗୁଛି । ଏହି ନିଆଁରେ ଜଙ୍ଗଲର ଅନେକ ମୂଲ୍ୟବାନ ଗଛପତ୍ର ଜଳିଯାଇଛି । ତେବେ ସବୁଠାରୁ ଦୁଃଖର ବିଷୟ ଏହା ଯେ ନିଆଁରେ କେବଳ ଜଙ୍ଗଲ ନୁହେଁ ଅନେକ ଦୁର୍ଲଭ ଜୀବଜନ୍ତୁ ମଧ୍ୟ ଜଳିପୋଡି ପାଉଁଶ ହୋଇଯାଉଛନ୍ତି ।
ନିକଟରେ ସାମନାକୁ ଆସିଛି ଏଭଳି କିଛି ହୃଦୟବିଦାରକ ଦୃଶ୍ୟ । ଆମାଜନରେ ଲାଗିଥିବା ନିଆଁରେ ଜୀବଜନ୍ତୁ ଜଳିଯାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ଶହ ଶହ ଜନ୍ତୁଙ୍କର ମୃତ ଶରୀର ଜଙ୍ଗଲରେ ପଡିରହିଥିବାର ଦେଖିବାକୁ ମିଳିଛି । ଏମାନଙ୍କ ମଧ୍ୟରେ ବହୁ ଦୁର୍ଲଭ ଜନ୍ତୁ ରହିଛନ୍ତି । ଯେଉଁମାନେ କି ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ଦେଖିବାକୁ ମିଳନ୍ତି ନାହିଁ । ସେହିପରି ଏହି ନିଆଁ ଯୋଗୁଁ ଶତାଧିକ ବନ୍ୟପ୍ରାଣୀ ଆହତ ହୋଇଥିବାର ଖବର ରହିଛି ।
ତେବେ ଆମାଜନରେ ନିକଟରେ କିଛି ସପ୍ତାହ ମଧ୍ୟରେ ଅନେକ ଥର ନିଆଁ ଲାଗିଲାଣି । ଏଥିରେ ଜଙ୍ଗଲର ଅନେକ ଅଂଶ ପୋଡି ଛାରଖାର ହୋଇଛି । ହେଲେ ଏଥର ଏହି ନିଆଁ ଅତ୍ୟନ୍ତ ବିଶାଳ ଆକାରରେ ଲାଗିଛି । ଏପରିକି ଏହି ନିଆଁ ଗତବର୍ଷ ଅପେକ୍ଷା 80 ପ୍ରତିଶତ ଅଧିକ ଭାଗରେ ଲାଗିଛି । ଏହି ନିଆଁ ଲାଗି ପରିବେଶବିତମାନେ ସ୍ଥାନୀୟ ଅଧିବାସୀଙ୍କୁ ଦାୟୀ କରିଛନ୍ତି । ଲୋକଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନିଆଁ ଲାଗିଥିବା ସେମାନେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଶ୍ବର ସମୁଦାୟ ଅମ୍ଳଜାନରୁ 20 ପ୍ରତିଶତ ଆମାଜନ ଉତ୍ପାଦିତ କରିଥାଏ ।