ୱାଶିଂଟନ: ବିଶ୍ବ ସମେତ ସାରା ଦେଶରେ ଜାରି ରହିଛି ମହାମାରୀ କୋରୋନା ସଙ୍କଟ । କୋରୋନାକୁ ପ୍ରତିହତ କରିବା ପାଇଁ ଟୀକା ସନ୍ଧାନରେ ଲାଗିଛନ୍ତି ବିଶ୍ବର ବଡ ବଡ ଦେଶର ବୈଜ୍ଞାନିକ । ଏହାରି ମଧ୍ୟରେ ଭ୍ୟାକ୍ସିନକୁ ନେଇ ଆସିଛି ଖୁସି ଖବର । କୋଭିଡ ଭ୍ୟାକ୍ସିନ 90 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଆମେରିକାର ଔଷଧ କମ୍ପାନୀ ଫାଇଜର ।
କମ୍ପାନୀ କହିଛି ଯେ ସେମାନଙ୍କ ଟୀକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ତଥ୍ୟ ଉପରେ ନଜର ରଖୁଥିବା ଏକ ସ୍ବତନ୍ତ୍ର ମନିଟରିଂ କମିଟି ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ ବାୟୋଟେକ୍ନୋଲୋଜି ( ବାୟୋ ଟେକ) ଦ୍ବାରା ବିକଶିତ କୋରୋନା ଭୂତାଣୁ ଟୀକା 90 ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଅଟେ।
ଫାଇଜର ସିଇଓ ଆଲବର୍ଟ ବୋରଲା କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋରୋନାକୁ ରୋକିବା ପାଇଁ ଆମ ଟୀକା ପ୍ରଭାଶାଳୀ ସାବ୍ୟସ୍ତ ହୋଇଛି । ଏହି ଟୀକା ସମ୍ବନ୍ଧରେ କମ୍ପାନୀଗୁଡିକର ଦାବି ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି ଦେଇଛନ୍ତି ପ୍ରତିକ୍ରିୟା । ଟ୍ରମ୍ପ କହିଛନ୍ତି ଯେ ଏହି ଟିକା ଶୀଘ୍ର ଆସିବ। ଟୀକା 90 ପ୍ରତିଶତ ପ୍ରଭାବଶାଳୀ ଅଟେ । ଏହା ଏକ ଭଲ ଖବର ବୋଲି ସେ ଲେଖିଛନ୍ତି ।
ସାରା ବିଶ୍ବରେ କୋରୋନା ସଂକ୍ରମଣ ମାମଲା 5 କୋଟି ଅତିକ୍ରମ କରିସାରିଛି । କୋଭିଡସ ତଥ୍ୟ ଉପରେ ନଜର ରଖୁଥିବା ଆମେରିକୀୟ ବିଶ୍ବବିଦ୍ୟାଳୟ ଜନ୍ ହପକିନ୍ସ ଅନୁଯାୟୀ ରବିବାର ବିଶ୍ବରେରେ କୋରୋନା ସଂକ୍ରମଣ ମାମଲା 5.2 କୋଟିକୁ ବୃଦ୍ଧି ପାଇଛି। ସାରା ବିଶ୍ବରେ ଏହି କୋରୋନା ଯୋଗୁଁ 12 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ।
ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ତଥ୍ୟ ଅନୁଯାୟୀ, ଆମେରିକାରେ କୋରୋନା ଯୋଗୁଁ ସର୍ବାଧିକ 98 ଲକ୍ଷରୁ ଅଧିକ ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ 2,37,000ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।