ହାଇଦ୍ରାବାଦ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୂପେ ଜୋ ବାଇଡେନ୍ ଶପଥ ନେଉଥିବା ସମୟରେ, ତାଙ୍କ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଅମଳରେ ନିଆଯାଇଥିବା କେତେକ ବିବାଦୀୟ ନିଷ୍ପତ୍ତି ରଦ୍ଦ କରିବା ଦିଗରେ କାର୍ଯ୍ୟନିର୍ବାହୀ ସିଦ୍ଧାନ୍ତ ନେବାର ଯୋଜନା ରଖିଛନ୍ତି । ଡିସେମ୍ବର 20 ତାରିଖରେ ଶପଥ ଗ୍ରହଣ କରିବା ପରେ, ସମ୍ଭବତଃ ରାଷ୍ଟ୍ରପତି ବାଇଡେନ୍ ତାଙ୍କ ପୂର୍ବସୂରୀଙ୍କ ଦ୍ବାରା ଲାଗୁ ହୋଇଥିବା କେତେକ ନିଷ୍ପତ୍ତି ପ୍ରତ୍ୟାହାର କରିନେବେ । ଏଭଳି ସମ୍ଭାବିତ ନିଷ୍ପତ୍ତିରେ ରହିଛି, କେତେକ ମୁସଲମାନ ବହୁଳ ଦେଶରୁ ଆମେରିକାକୁ ପ୍ରବାସନ ଉପରେ ଲାଗୁ କଟକଣା ପ୍ରତ୍ୟାହାର, ପ୍ୟାରିସ୍ ଜଳବାୟୁ ପରିବର୍ତ୍ତନ ବୁଝାମଣାରେ ଆମେରିକାର ପୁନଃ ଯୋଗଦାନ । ଏହା ବ୍ୟତୀତ କୋରୋନା ଭାଇରସ୍ ମୁକାବିଲା ଦିଗରେ ମଧ୍ୟ ଅଧିକ ଜୋରଦାର ପ୍ରୟାସ କରାଯିବ ।
2017ରେ କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର କେଇ ସପ୍ତାହ ପରେ, ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରି ସାତଟି ମୁସଲମାନ ବହୁଳ ରାଷ୍ଟ୍ରର ଯାତ୍ରୀଙ୍କ ଆମେରିକା ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରିଥିଲେ । ପରବର୍ତ୍ତୀ ସମୟରେ ଟ୍ରମ୍ପ ସରକାରଙ୍କ ଦ୍ବାରା ସେହି ନିର୍ଦ୍ଦେଶରେ ଅନେକ ପରିବର୍ତ୍ତନ କରାଯାଇଥିଲା ଏବଂ ପରେ, 2018 ମସିହାରେ, ସୁପ୍ରିମ କୋର୍ଟ ଏହି ନିର୍ଦ୍ଦେଶର ତୃତୀୟ ସଂସ୍କରଣକୁ କାଏମ ରଖିଥିଲେ । ପ୍ରଥମ ଥର ନିର୍ଦ୍ଦେଶରେ ସାମିଲ ହୋଇଥିବା ଦେଶ ମଧ୍ୟରେ ଥିଲେ ଇରାନ, ଲିବିୟା, ସୋମାଲିଆ, ସିରିଆ ଏବଂ ୟେମେନ । ପରେ ଏହି ନିଷେଧାଦେଶକୁ ଭେନେଜୁଏଲା ଏବଂ ଉତ୍ତର କୋରିଆ ପ୍ରତି ମଧ୍ୟ ଲାଗୁ କରାଯାଇଥିଲା । ସମୟକ୍ରମେ ନାଇଜେରିଆ, ସୁଦାନ ଏବଂ ମିଆଁମାର ଭଳି ଦେଶ ଏହି ନିଷେଧାଦେଶ ପରିସରଭୁକ୍ତ ଦେଶ ତାଲିକାରେ ସାମିଲ ହେଲେ । ଗତ ବର୍ଷ ଜୁଲାଇରେ, ଡେମୋକ୍ରାଟ୍ ବାଇଡେନ୍ ପ୍ରତିଶ୍ରୁତି ଦେଇଥିଲେ ଯେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ, କାର୍ଯ୍ୟାଳୟରେ ପ୍ରଥମ ଦିନରେ ହିଁ ସେ ଡୋନାଲ୍ଡ ଟ୍ରମ୍ପଙ୍କ ତଥାକଥିତ ମୁସଲମାନଙ୍କ ଯାତ୍ରା ଉପରେ ନିଷେଧାଦେଶକୁ ରଦ୍ଦ କରିବେ । ସେ ଏହା ମଧ୍ୟ କହିଥିଲେ ଯେ ବିଦ୍ବେଷପୂର୍ଣ୍ଣ ଅପରାଧ ବିରୋଧରେ ‘ଜାବାରା-ହେୟର ନୋ ହେଟ୍ ଆକ୍ଟ’ ଏବଂ ’ଏଣ୍ଡ ରାସିଆଲ ଆଣ୍ଡ ରିଲିଜିଅସ୍ ପ୍ରୋଫାଇଲିଂ ଆକ୍ଟ’ ଭଳି ଆଇନ ଗୃହୀତ କରାଇବା ଲାଗି ସେ କଂଗ୍ରେସ ସହ ମିଶି କାର୍ଯ୍ୟ କରିବେ ।
କେଉଁମାନେ ପ୍ରଭାବିତ ହୋଇଛନ୍ତି ?
* ଆମେରିକାରେ ଅସ୍ଥାୟୀ ଭାବେ ବସବାସ କରିବାକୁ ଚାହୁଁଥିବା ଲକ୍ଷ ଲକ୍ଷ ଲୋକ, ନିର୍ଦ୍ଦିଷ୍ଟ ଭାବେ ଶରଣାର୍ଥୀମାନେ ।
* ଏହି ନିଷେଧାଦେଶ ଯୋଗୁଁ ଏହା ଅନ୍ତର୍ଗତ ବିଭିନ୍ନ ମୁସଲମାନ ବହୁଳ ରାଷ୍ଟ୍ରର ନାଗରିକଙ୍କୁ ଜାରି କରାଯାଉଥିବା ଭିସା ସଂଖ୍ୟା ପ୍ରଭାବିତ ହୋଇଥିଲା । ଏହା ଅନ୍ୟ ନିଷେଧାଦେଶ ବହିର୍ଭୂତ ଦେଶର ନାଗରିକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା ।
* ଆମେରିକାରେ ରହୁଥିବା ମୁସଲମାନ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ହଇରାଣ ହୋଇଥିଲେ, କାରଣ ଏହି ନିଷେଧାଦେଶ ଯୋଗୁଁ ସେମାନେ ନିଜ ନିଜ ଦେଶରେ ରହୁଥିବା ସେମାନଙ୍କ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ । ସେଠାରେ ସେମାନଙ୍କ ପରିବାର ଲୋକଙ୍କୁ ଭିସା ପ୍ରଦାନ କରାଯାଇ ନଥିଲା ।
* ମୁସଲମାନଙ୍କ ଯାତ୍ରା ଉପରେ ଏହି ନିଷେଧାଦେଶ ଯୋଗୁଁ ସେହି ଚାରିଟି ଦେଶର ଲୋକେ ପ୍ରଭାବିତ ହୋଇଥିଲେ ଯେଉଁ ଦେଶଗୁଡ଼ିକର ଅସ୍ଥାୟୀ ସୁରକ୍ଷା ମାନ୍ୟତା ବା ‘ଟେମ୍ପରାରୀ ପ୍ରୋଟେକ୍ଟେଡ୍ ଷ୍ଟାଟସ୍’ (TPS) ଆଗରୁ ରହିଥିଲା କିମ୍ବା ପରେ ଦିଆଯାଇଥିଲା । ସେହି ଦେଶଗୁଡ଼ିକ ହେଲେ ସୋମାଲିଆ, ସିରିଆ, ୟେମେନ ଏବଂ ସୁଦାନ । ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟାନ୍ୟ ମାନବୀୟ ସଂକଟରେ ପ୍ରପୀଡ଼ିତ ଦେଶର ଲୋକଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଲାଗି ବାଧ୍ୟ କରିବା ବିରୋଧରେ TPS ସୁରକ୍ଷା ପ୍ରଦାନ କରେ ।
* ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ବୃତ୍ତିଧାରୀମାନେ ଯାତ୍ରା ଉପରେ ନିଷେଧାଦେଶର ପ୍ରଭାବ ମୋଟାମୋଟି ଭାବରେ ପ୍ରାୟ 13ଟି ଦେଶର ନାଗରିକଙ୍କୁ ଏହା ପ୍ରଭାବିତ କରିଥିଲା: ଇରାନ୍, ଲିବିୟା, ସୋମାଲିଆ, ସିରିଆ, ୟେମେନ୍, ଭେନେଜୁଏଲା, ଉତ୍ତର କୋରିଆ, ନାଇଜେରିଆ, ମିଆଁମାର, ଏରିଟ୍ରିଆ, କିର୍ଗିଜ୍ସ୍ତାନ, ସୁଦାନ ଏବଂ ତାଞ୍ଜାନିଆ ।
ଏହି ଯାତ୍ରା କଟକଣାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଥିଲା । ‘ଟାଇମ୍’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, 2015 ଅକ୍ଟୋବର 1 ଏବଂ 2019 ସେପ୍ଟେମ୍ବର 30 ମଧ୍ୟରେ ଇରାନୀମାନଙ୍କୁ ଭିସା ପ୍ରଦାନ 79% ହ୍ରାସ ପାଇଥିଲା ଏବଂ ସେହିଭଳି ସୋମାଲିଙ୍କ କ୍ଷେତ୍ରରେ 74% ଏବଂ ୟେମେନିଙ୍କ କ୍ଷେତ୍ରରେ 66% ଭିସା ପ୍ରଦାନ ହାର କମିଥିଲା ବୋଲି ‘ଇସ୍ଲାମୋଫୋବିଆ’ ଉପରେ କାର୍ଯ୍ୟ କରୁଥିବା ଜର୍ଜଟାଉନ୍ ୟୁନିଭର୍ସିଟିର ‘ଦି ବ୍ରିଜ୍ ଇନିସିଏଟିଭ୍’ ନାମକ ଏକ ଗବେଷଣା ପ୍ରକଳ୍ପ ସୂତ୍ରରୁ ଜଣାପଡ଼ିଥିଲା । 2019 ଜାନୁଆରୀରେ, ଉଦାରବାଦୀ କାଟୋ ଇନ୍ଷ୍ଟିଚ୍ୟୁଟ୍ର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଏହି ନୂତନ କଟକଣା ଯୋଗୁଁ ଆମେରିକୀୟ ନାଗରିକମାନଙ୍କର 15,000ରୁ ଅଧିକ ପୋଷ୍ୟ ସନ୍ତାନ ଏବଂ ସ୍ବାମୀ ବା ସ୍ତ୍ରୀ ଆମେରିକାରେ ରହୁଥିବା ସେମାନଙ୍କ ପିତାମାତା ଏବଂ ସ୍ତ୍ରୀ ଓ ସ୍ବାମୀଙ୍କ ସହ ସାକ୍ଷାତ କରିବାରୁ ବଞ୍ଚିତ ହୋଇଥିଲେ । ମିଚିଗାନ୍ରେ ଜଣେ ୟେମେନି-ଆମେରିକୀୟ ପିତା ତଥା ଆମେରିକୀୟ ନାଗରିକ ମହମୁଦ ସାଲେମ ଆତ୍ମହତ୍ୟା କରିଥିଲେ । କାରଣ, ଟ୍ରମ୍ପଙ୍କ ଯାତ୍ରା ନିଷେଧାଦେଶ ପରେ ଦିଜିବୋଟିରେ ରହୁଥିବା ତାଙ୍କ ସ୍ତ୍ରୀ ଓ ପାଞ୍ଚ ଜଣ ସନ୍ତାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଆମେରିକା ଆସିବା ଲାଗି ଭିସା ପ୍ରଦାନ କରାଯାଇନଥିଲା ବୋଲି ଏନ୍ବିସି ଖବରରେ ପ୍ରକାଶ ପାଇଥିଲା ।
ପରିଣତି ଆହୁରି ଖରାପ ହେବ ?
* ପର୍ଯ୍ୟବେକ୍ଷକମାନଙ୍କ ମତରେ ଏହି ନିଷେଧାଦେଶର ପ୍ରଭାବ କେବଳ ଆମେରିକା ଭିତରକୁ ଲୋକଙ୍କ ପ୍ରବେଶ ଉପରେ ପଡ଼ି ନଥିଲା ବରଂ, ମୁସଲମାନ ଏବଂ ଅନ୍ୟ ଅଶ୍ବେତ ସଂପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇଥିଲା । ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବା ପରଠାରୁ ରାସ୍ତାରେ ଭୟଭୀତ କରାଇ କିମ୍ବା ବଂଶବାଦୀ ମନ୍ତବ୍ୟ ପ୍ରଦାନ ରୂପରେ ଏଭଳି ଆକ୍ରମଣ ପରିପ୍ରକାଶିତ ହୋଇଥିଲା ।
* ଶରଣାର୍ଥୀମାନଙ୍କର ପୁନର୍ବାସନ ପ୍ରକ୍ରିୟାକୁ ଅବରୁଦ୍ଧ କରିବା ପାଇଁ ଅଧିକାରୀମାନଙ୍କୁ ଅନୁମତି ପ୍ରଦାନ ପୂର୍ବକ ଏକ ଆଇନ ଗତ ବର୍ଷ ଗୃହୀତ ହୋଇଥିଲା । ଅନେକଙ୍କ ମତରେ, ଏହି ଆଇନ ଯୋଗୁଁ ବଂଶ ଭିତ୍ତିରେ ପୃଥକୀକରଣ ଏବଂ ପ୍ରବାସନର ସ୍ଥିତି ଭିତ୍ତିରେ ଚଳପ୍ରଚଳରେ ସ୍ବାଧୀନତା ସଂପର୍କିତ ଜଣେ ବ୍ୟକ୍ତିଙ୍କ ଅଧିକାରକୁ ପ୍ରତିବନ୍ଧିତ କରିବା ସମ୍ଭାବନା ରହିଥିଲା । ହେଲେ, ଅଦାଲତ ଏହି ନୀତିକୁ ଅସ୍ଥାୟୀ ଭାରେ ସ୍ଥଗିତ ରଖିଥିଲେ ।
ପ୍ରତ୍ୟାହାର ସହଜ ହେବ କି ?
ଏହି ନିଷେଧାଦେଶ ପ୍ରତ୍ୟାହୃତ ହେବାର ସମ୍ଭାବନା ରହିଥିଲେ ହେଁ, ପକ୍ଷପାତ ଭାବନା ଏତେ ସହଜରେ ଯିବ ନାହିଁ ବୋଲି ଅନେକ ସାମାଜିକ କର୍ମୀ, ସାମାଜିକ ସଂଗଠନ, ମୁସଲମାନ ଏବଂ ଅନ୍ୟ ପ୍ରବାସୀମାନେ ଅନୁଭବ କରନ୍ତି । ପ୍ରଥମ ଥର ଏହି ନିଷେଧାଦେଶରେ ସନ୍ନିହିତ ଉଦ୍ଦେଶ୍ୟର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିବା ଲୋକଙ୍କ ପାଇଁ ଏହାକୁ ପ୍ରତ୍ୟାହାର କରିନେବା ସ୍ବାଭାବିକ ସ୍ଥିତିକୁ ପ୍ରତ୍ୟାବର୍ତ୍ତନ ଦିଗରେ ପ୍ରଥମ ପଦକ୍ଷେପ ହେବ ।
ସମିୟା ଲତିଫ, ଇଟିଭି ଭାରତ