ପାୟୋଙ୍ଗୟାଙ୍ଗ: କିଛି ମାସ ପୂର୍ବେ ପରସ୍ପରର ଚିରଶତ୍ରୁ ଥିବା 2 ରାଷ୍ଟ୍ର ଆଜି ଉତ୍ତମ ମିତ୍ର ପାଲଟିଛନ୍ତି । ଉଭୟଙ୍କ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବା ବିଶ୍ବ ପାଇଁ ବିପଦ ସୃଷ୍ଟି କରିଥିଲା । ଆଉ ଆଜି ଉଭୟ ରାଷ୍ଟ୍ରମୁଖ୍ୟ ବିଶ୍ବ ଶାନ୍ତି ଲାଗି ଏକାଠି ହୋଇଛନ୍ତି ।
ରବିବାର ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ବିଭାଜନ କରୁଥିବା ଡିମିଲିଟାରାଇଜଡ ଜୋନରେ ଆମେରିକା ରାଷ୍ଟ୍ରପତି ଓ ଉତ୍ତର କୋରିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ବହୁ ପ୍ରତିକ୍ଷିତ ସାକ୍ଷାତକାର ହୋଇଥିଲା । ପୂର୍ବରୁ ବିଶ୍ବର 2 ଶକ୍ତିଶାଳୀ ନେତା ଟ୍ରମ୍ପ ଓ କିମ ଜନ ଉନଙ୍କ ମଧ୍ୟରେ 2ଟି ସାକ୍ଷାତ ହୋଇସାରିଥିଲା । ହେଲେ ଏହି ସାକ୍ଷାତକାରର ଅନେକ ଗୁରୁତ୍ବ ଥିଲା । କାରଣ ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଉତ୍ତର କୋରିଆ ମାଟିରେ ପାଦ ରଖିଛନ୍ତି ଡୋନାଲଡ ଟ୍ରମ୍ପ ।
ତେବେ ସୋମବାର ଏହି ସାକ୍ଷାତକାରକୁ ଉତ୍ତର କୋରିଆ ପକ୍ଷରୁ ଐତିହାସିକ ବୋଲି ବର୍ଣ୍ଣନା କରାଯାଇଛି । ଉଭୟ ନେତା ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲା । ପରମାଣୁ ନିରସ୍ତ୍ରୀକରଣ ଉପରେ ଉଭୟ ଆଲୋଚନା କରିଛନ୍ତି । ଉଭୟ ନେତାଙ୍କ ସାକ୍ଷାତ ବିଶ୍ବର ଏକ ଐତିହାସିକ ବିଷୟ ବୋଲି ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି ।
ଏହି ଗସ୍ତକୁ ତାଙ୍କ ଲାଗି ଗର୍ବର ବିଷୟ ବୋଲି ଟ୍ରମ୍ପ କହିଥିଲେ । ଏହାସହ ସେ କିମଙ୍କ ସହ ତାଙ୍କ ବନ୍ଧୁତାକୁ ଚତ୍ମକାର ବୋଲି କହିଥିଲେ । କିମଙ୍କୁ ସେ ହ୍ବାଇଟ ହାଉସ ନିମନ୍ତ୍ରଣ କରିଥିଲେ । ଏପର୍ଯ୍ୟନ୍ତ କୌଣସି ଉତ୍ତର କୋରିଆ ନେତା ଆମେରିକା ଗସ୍ତ କରିନାହାନ୍ତି । କିମ ମଧ୍ୟ ଟ୍ରମ୍ପଙ୍କ ସହ ସାକ୍ଷାତକୁ ପ୍ରଶଂସା କରିବା ସହ କୋରିଆ ମାଟିରେ ତାଙ୍କୁ ଭେଟିବେ ବୋଲି ଆଶା କରିନଥିବା କହିଥିଲେ ।