ଲଣ୍ଡନ: ପୁଣିଥରେ ହୀରା ବ୍ୟବସାୟ ଆରମ୍ଭ କଲାଣି ପଳାତକ ନିରବ ମୋଦି । ଏଥର କିନ୍ତୁ ବଦଳିଛି ଠିକଣା ହେଲେ ବଦଳିନି ବ୍ୟବସାୟ । ଲଣ୍ଡନ ରାଜରାସ୍ତାରେ ବେଫିକର ହୋଇ ବୁଲୁଛି ହୀରା ବ୍ୟବସାୟୀ ନିରବ ମୋଦି । ଟେଲିଗ୍ରାଫ ଖବରକାଗଜର ସାମ୍ୱାଦିକ ନିରବକୁ ଲଣ୍ଡନ ରାସ୍ତାରେ ଦେଖିବା ସତ୍ତ୍ୱେ ଅଜଣା ଭାବେ ବାଟକାଟି ଚାଲି ଯାଇଛି ସେ ।
ତେବେ ସେଠାରେ ପୁଣିଥରେ ହୀରା ବ୍ୟବସାୟ ସେ ଆରମ୍ଭ କରି ଦେଇଛି । ଏପରିକି ଘରଠାରୁ ଅଫିସ ପୋଷା କୁକୁର ମାନଙ୍କ ସହ ସେ ଚାଲିକି ଯାଉଛି । କିନ୍ତୁ ସେଣ୍ଟ୍ରାଲ ଲଣ୍ଡନର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଛି ନିରବ । ଏହି ଫ୍ଲାଟର ମୂଲ୍ୟ ପାଖାପାଖି 80 ଲକ୍ଷ ପାଉଣ୍ଡ ଭାରତୀୟ ମୂଲ୍ୟ (70 କୋଟି) ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।
ସେ ନିଶ ଦାଢି ବଢାଇ ନୂଆ ଲୁକରେ ରହିବା ସହ ଓଷ୍ଟ୍ରିଚ ହାଇଡର ଏକ ଜ୍ୟାକେଟ ପିନ୍ଧିଥିବା ଦେଖିଛନ୍ତି ସାମ୍ୱାଦିକ । ତେବେ ଏହି ଜ୍ୟାକେଟର ମୂଲ୍ୟ 8ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି । କିନ୍ତୁ ଅଚାନକ ନିରବ ସହ ଦେଖା ହେବା ପରେ ପ୍ରଶ୍ନ କରିଥିଲେ ସାମ୍ୱାଦିକ । ବ୍ରିଟେନରେ ଶରଣ ନେବା ପାଇଁ ଆବେଦନ କରିଥିବା ପ୍ରଶ୍ୱନରେ ନିରବ ସରି, ନୋ କମେଣ୍ଟ କହି ସେଠାରୁ ଚାଲି ଯାଇଥିବା କହିଛନ୍ତି ସାମ୍ୱାଦିକ ।
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ 13 ହଜାର କୋଟି ଟଙ୍କା ଠକେଇ କରି ଭାରତରୁ ଫେରାର ହେବା ପରେ ବିଦେଶରେ ଶରଣ ନେଇଛି ହୀରା ବ୍ୟବସାୟୀ ନିରବ ମୋଦି ।