ଫ୍ଲୋରିଡା: ବ୍ରିଟେନସ୍ଥିତ ୟୁନିଭର୍ସିଟି ଅଫ ଇଷ୍ଟ ଆଙ୍ଗ୍ଲିଆର ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଦଳ ବିଶ୍ବ ଗଠନ ନେଇ ପାଇଛନ୍ତି କିଛି ରୋଚକ ତଥ୍ୟର ସନ୍ଧାନ । ଏମାନେ ରେଡିଓ ଟେଲିସ୍କୋପର ବ୍ୟବହାର କରି ଏକ ବିଷମ ଡବଲ ନ୍ୟୁଟ୍ରନ ତାରକା ସିଷ୍ଟମର ସନ୍ଧାନ ପାଇଛନ୍ତି । ତେବେ ବୈଜ୍ଞାନିକ ଦଳର ବିଶ୍ବାସ କି ଏହି ସିଷ୍ଟମର ଅଧ୍ୟୟନ ଦ୍ବାରା ବିଶ୍ବ ଗଠନର ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ ।
- 2017 ମସିହାରେ ଆମେରିକା ଦ୍ବାରା ସନ୍ଧାନ ହୋଇଥିବା ଲିଗୋ ବା ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ-ୱେଭ ଅବଜରଭେଟୋରି ପରି ବର୍ତ୍ତମାନ ସନ୍ଧାନ ମିଳିଥିବା ନ୍ୟୁଟ୍ରନ ତାରକା ସିଷ୍ଟମ ପୂର୍ବରୁ ଏକ ତାରକା ସିଷ୍ଟମର ମିଶ୍ରଣରୁ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।
- ଲିଗୋ ନିରୀକ୍ଷଣ ଦ୍ବାରା ନ୍ୟୁଟ୍ରନ ତାରକାର ମିଶ୍ରଣ ଦ୍ବାରା ମାଧ୍ୟାକର୍ଷଣ ତରଙ୍ଗ ଉତ୍ପନ ହେଉଥିବା ସ୍ପଷ୍ଟ ହୋଇଥିଲା । ସେହି ଦୃଷ୍ଟିରୁ ଏହି ଅଧ୍ୟୟନ ଅତି ଗୁରୁତ୍ବପୂର୍ଣ୍ଣ ରହିଥିଲା ।
- ନେଚର ଜର୍ଣ୍ଣାଲରେ ଏହି ନୂଆ ତାରକା ସିଷ୍ଟମ ସମ୍ବନ୍ଧରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଉଲ୍ଲେଖ ରହିଥିଲା କି ମୃତ ତାରକାର ମିଶ୍ରଣ ବା ଘର୍ଷଣ ଦ୍ବାରା ସୃଷ୍ଟି ହୋଇଥିବା ବର୍ତ୍ତମାନର ଡବଲ ନ୍ୟୁଟ୍ରନ ତାରକା ସିଷ୍ଟମ ଦ୍ବାରା ବିଶ୍ବ ଗଠନର ରହସ୍ୟ ଉନ୍ମୋଚନ କରାଯାଇପାରେ ।
ଏନେଇ ଭୌତିକ ବୈଜ୍ଞାନିକ ରବର୍ଟ ଫେର୍ଡମ୍ୟାନଙ୍କ କହିବା ଅନୁଯାୟୀ 2017ରେ ସନ୍ଧାନ ହୋଇଥିବା ଲିଗୋ ଦ୍ବାରା ମହାକାଶରେ ହେଉଥିବା ନ୍ୟୁଟ୍ରନ ତାରକାର ଘର୍ଷଣ ସମ୍ବନ୍ଧରେ ପ୍ରଥମେ ଜଣା ପଡିଥିଲା । ନ୍ୟୁଟ୍ରନ ତାରକାର ଘର୍ଷଣ ଦ୍ବାରା ସ୍ପେଶ ଟାଇମର ଫାବ୍ରିକ ସାହାଯ୍ୟରେ ମାଧ୍ୟାକର୍ଷଣୀୟ ତରଙ୍ଗ ସୃଷ୍ଟି ହୋଇଥାଏ । ଅନ୍ୟ ଶବ୍ଦରେ କହିବାକୁ ଗଲେ ନ୍ୟୁଟ୍ରନ ତାରକାର ଘର୍ଷଣ ଦ୍ବାରା ହିଁ ମହାକାଶରେ କ୍ଷୁଦ୍ର ଗାମା କିରଣ ସୃଷ୍ଟି ହୋଇଥାଏ ।
- 2017 ମସିହାରେ ହୋଇଥିବା ଅନୁସନ୍ଧାନ ଓ ବର୍ତ୍ତମାନ ସନ୍ଧାନରୁ ମିଳିଥିବା ଏକ ଅନନ୍ୟ ଦିଗ ହେଉଛି ଡବଲ ନ୍ୟୁଟ୍ରନ ଆଉ କିଛି ନୁହେଁ ବରଂ ଏହା ଭିନ୍ନ ଭିନ୍ନ ସାନ୍ଦ୍ରତା ବିଶିଷ୍ଟ ତାରକାପୁଞ୍ଜକୁ ନେଇ ଗଢା । ଏହି ଆଧାରରେ ବର୍ତ୍ତମାନ ସନ୍ଧାନ ମିଳିଥିବା ଡବଲ ନ୍ୟୁଟ୍ରନର ବିଷମ ସାନ୍ଦ୍ରତା ଥିବା ତାରକା ମହଜୁଦ ରହିଥିବା ଦେଖାଯାଇଛି ।
- ତେବେ ଲିଗୋର ତଥ୍ୟ ଓ ବର୍ତ୍ତମାନର ଅନୁସନ୍ଧାନର ତଥ୍ୟ ଆଧାରରେ ଏହି ବିଷମ ପ୍ରଜାତିର ତାରକାର ଘର୍ଷଣରୁ କିପରି ମାଧ୍ୟାକର୍ଷଣ ତରଙ୍ଗ ଉତ୍ପନ୍ନ ହେଉଛି ସେନେଇ ଆଗାମୀ ଅନୁଧ୍ୟାନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ଅଧ୍ୟୟନରେ ସାମିଲ ଜନୈକ ବୈଜ୍ଞାନିକ ବେନେଟେଜ ପେରେରା ।
- ପେରେରାଙ୍କ ଅଧ୍ୟୟନ ମୁଖ୍ୟତଃ ମାଧ୍ୟାକର୍ଷଣ ତରଙ୍ଗର ଉତ୍ପନ୍ନ ଉପରେ କେନ୍ଦ୍ରୀଭୂତ ରହିଛି । ଏହାର ଅଧ୍ୟୟନ ପାଇଁ ସେ 2019 ମସିହାରେ ଏନଏସଏଫର ଦ୍ବାରା ଆର୍ଥିକ ସହାୟତା ପାଉଥିବା ଆରେସିବୋ ଅବଜରଭେଟୋରୀ ସହ ହାତ ମିଳାଇଥିଲେ । ୟୁନିଭର୍ସିଟି ଅଫ ସେଣ୍ଟ୍ରାଲ ଫ୍ଲୋରିଡା ଦ୍ବାରା ଏହି ଅବଜରଭେଟୋରି ପରିଚାଳିତ ହୋଇଥାଏ ।
- ଉଭୟଙ୍କ ମିଳିତ ଉଦ୍ୟମରେ କିଛି ଅସାଧାରଣ ପଲସର ସମ୍ବନ୍ଧରେ ତଥ୍ୟ ହାସଲ ହୋଇଥିଲା । ଏହା ମହାକାଶରେ ରହିଥିବା ଗଭୀର ଚୁମ୍ବକୀୟ ଘୂର୍ଣ୍ଣିୟମାନ ନ୍ୟୁଟ୍ରନ ତାରକା ‘ଲାଇଟ ହାଉସ’ । ଯାହା ଚୁମ୍ବକୀୟ ପୋଲରୁ ଅତି ଶକ୍ତିଶାଳୀ ରେଡିଓ ତରଙ୍ଗ ନିର୍ଦତ କରିଥାଏ ।
- ନୂଆ କରି ଚିହ୍ନଟ ହୋଇଥିବା ଏହି ପଲସରର ନାମ ରହିଥିଲା PSR J1913+1102 । ଏହା ବାଇନାରୀ ସିଷ୍ଟମର ଏକ ଅଂଶ ହୋଇଥିବା ବେଳେ ଏହାର ଚତୁଃପାର୍ଶ୍ବରେ ଅନ୍ୟ ନ୍ୟୁଟ୍ରନ ତାରକା ସହ ମିଶ୍ରିତ ଭାବେ ଏକ ଶକ୍ତ କକ୍ଷ ପଥ ରହିଛି । ତେବେ ଏହି ନ୍ୟୁଟ୍ରନ ତାରକା ଗୁଡିକ ସୁପରନୋଭା ବିସ୍ଫୋରଣ ଦ୍ବାରା ନିର୍ଗତ ମୃତ ଷ୍ଟେଲାର ଅବଶିଷ୍ଟାଂଶ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହାର ସାନ୍ଦ୍ରତା ଖୁବ ଅଧିକ ରହିଥିବା ବେଳେ ପୃଥିବୀର ଓଜନଠାରୁ ଏହା ଶହେ ଗୁଣା ଅଧିକ ଓଜନିଆ ।
- ନିୟମିତ ନୁହେଁ ବରଂ ଦୁଇଟି ତାରକାର ଘର୍ଷଣ ପାଇଁ ଲକ୍ଷ ଲକ୍ଷ ବର୍ଷର ସମୟ ଲାଗିଥାଏ । ଯାହା ଏତେ ଶକ୍ତିଶାଳୀ ଥାଏ କି ସେଥିରୁ ମାଧ୍ୟାକର୍ଷଣ ଶକ୍ତି ସମେତ କିଛି ଶକ୍ତିଶାଳୀ ତରଙ୍ଗ ଉତ୍ପନ୍ନ ହୋଇଥାଏ । ଏନେଇ 2017 ମସିହାରେ ଲିଗୋ ଟିମ ମଧ୍ୟ ସୁରାକ ପାଇଥିଲେ ।
- ତେବେ ବୈଜ୍ଞାନିକଙ୍କ ବିଶ୍ବାସ ରହିଛି କି ଏହି ଘର୍ଷଣ ଦ୍ବାରା ବିଶ୍ବ ଗଠନର ଅନେକ ଗୁଢ ରହସ୍ୟ ଉନ୍ମୋଚନ ହେବା ସହ ବିଶ୍ବର ଭବିଷ୍ୟତ ମଧ୍ୟ ଅନୁମାନ କରାଯାଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ