କ୍ବେବେକ ସିଟି(କାନାଡା): କୋଭିଡ-19 ଭ୍ୟାକସିନ୍ ବାହାର କରିବାକୁ ସମସ୍ତ ରାଷ୍ଟ ପକ୍ଷରୁ ଉଦ୍ୟମ ଚାଲିଛି । ବିଶ୍ବବ୍ୟାପୀ ଅନେକ କମ୍ପାନୀ ଓ ରିସର୍ଚ୍ଚର ଏହାର ପ୍ରୟାସ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ କେହି ସଫଳ ହୋଇନଥିବାବେଳେ ଆଗାମୀ ଦିନରେ ଏହାର ଭ୍ୟାକସିନ୍ କିଏ ଆଗ ବାହାର କରିବ ତାହା ଉପରେ ସମସ୍ତଙ୍କ ନଜର ।
ତେବେ କାନାଡାର ଏକ ବାୟୋଫାର୍ମାସିୟୁଟିକାଲ କମ୍ପାନୀ ମେଡିକାଗୋ ପକ୍ଷରୁ ଏନେଇ ଏକ ସଫଳ ପରୀକ୍ଷଣ ହୋଇଛି । କମ୍ପାନୀ ପକ୍ଷରୁ ଜୀବଜନ୍ତୁଙ୍କ ଦେହରେ ପ୍ରଥମେ କୋଭିଡ-19ର ଭ୍ୟାକସିନ୍ ପରୀକ୍ଷା କରାଯାଇଥିଲା । ଏଥିରେ ଏହାକୁ ଚତ୍ମକାର ସଫଳତା ମିଳିଛି । ଏକ ମୂଷା ଛୁଆ ଦେହରେ ଗୋଟିଏ ସିଙ୍ଗଲ ଡୋଜ ମାତ୍ର 10 ଦିନ ମଧ୍ୟରେ ପଜିଟିଭ ଆଣ୍ଟିବଡି ରେସପନ୍ସ ଦେଇଛି । ଏବେ କମ୍ପାନୀ ଦ୍ବିତୀୟ ଡୋଜକୁ ଉତ୍ସୁକତାର ସହିତ ଅପେକ୍ଷା କରିଛି । ଏହା ମଧ୍ୟ ପଜିଟିଭ ରେଜଲ୍ଟ ଦେଲେ ମାନବ ଶରୀରରେ ପରୀକ୍ଷଣ ପାଇଁ ଏହା କାନାଡା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅନୁମତି ଲୋଡିବ ବୋଲି ସାଇଣ୍ଟିଫିକ୍ ଓ ମେଡିକାଲ ଆଫେୟାର୍ସର କାର୍ଯ୍ୟକାରୀ ଉପସଭାପତି ନାଥାଲିଆ ଲାଣ୍ଡ୍ରେ କହିଛନ୍ତି ।
ଯଦିଚ ଏହାର ମାନବୀୟ ପରୀକ୍ଷଣ ଏପର୍ଯ୍ୟନ୍ତ ହୋଇନାହିଁ ତଥାପି ମେଡିକାଗୋ ଏହାର 2ଟି ସେଣ୍ଟର କ୍ବେବେକ ଓ ନର୍ଥ କାରୋଲିନାରେ ଯଥାକ୍ରମେ ବାର୍ଷିକ 20 ମିଲିୟନ ଏବଂ 100 ମିଲିୟନ ଡୋଜ ପ୍ରସ୍ତୁତ କରିପାରିବ ବୋଲି ଆକଳନ କରିଛି । ଏବର୍ଷ ଶେଷ ସୁଦ୍ଧା ଅନେକ ଡୋଜ ପ୍ରସ୍ତୁତ ହେବ । କିନ୍ତୁ ଉପରୋକ୍ତ ଆକଳନ କାର୍ଯ୍ୟକାରୀ ହେବା ବେଳକୁ 2022 ଲାଗିଯିବ ବୋଲି କମ୍ପାନୀର କାର୍ଯ୍ୟକାରୀ ପରିଚାଳନା ଉପସଭାପତି ମାଇକେଲ ସ୍କୁଙ୍କ କହିଛନ୍ତି । ସେହିପରି 2023 ସୁଦ୍ଧା କ୍ବେବେକରେ ବର୍ଷକୁ 1 ବିଲିୟନରୁ ଅଧିକ ଭ୍ୟାକସିନ୍ ପ୍ରସ୍ତୁତ ହୋଇପାରିବ ବୋଲି ସେ କହିଛନ୍ତି ।
ପୂର୍ବରୁ ମେଡିକାଗୋ ପକ୍ଷରୁ ମାର୍ଚ୍ଚରେ କୋରୋନା ଭାଇରସର ଭିଏଲପି ମାତ୍ର 20 ଦିନରେ ପ୍ରସ୍ତୁତ କରିଥିଲା । ଏବର୍ଷ ସମରରେ ଏହାର ପ୍ରଥମ ପରୀକ୍ଷଣ ହେବା ପରେ ବର୍ଷ ଶେଷ ସୁଦ୍ଧା ଫାଇନାଲ ପ୍ରସ୍ତୁତି ଆରମ୍ଭ ହେବ । ପୂର୍ବରୁ 2009, 2012 ଫ୍ଲୁରେ ଏହି କମ୍ପାନୀ ଖୁବ ଅଳ୍ପ ଦିନରେ ବିଭିନ୍ନ ଭ୍ୟାକସିନ୍ ତିଆରି କରିବାର ରେକର୍ଡ କରିଛି ।