ୱାଶିଂଟନ: ଆମେରିକାରେ କୋରୋନା ସଙ୍କଟ ଗମ୍ଭୀର ରୂପ ଧାରଣ କରିଛି । ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଏଠାରେ କୋରୋନା ମୃତ୍ୟୁସଂଖ୍ୟା ଏକ ଲକ୍ଷ ପାର କରିଛି । ତେବେ ଏଥିପାଇଁ ଦକ୍ଷିଣ ଆମେରିକାର ରାଷ୍ଟ୍ରଗୁଡିକ ଅଧିକ ଦାୟୀ ବୋଲି ଜଣାପଡିଛି । ଏଠାରେ ନୂଆ ମାମଲା ବୃଦ୍ଧି ପାଇବାରୁ ଦେଶରେ କୋରୋନା ସ୍ଥିତି ଗମ୍ଭୀର ହୋଇଛି ।
ବିଶେଷ କରି ଲାଟିନ ଆମେରିକା ରାଷ୍ଟ୍ରରେ କୋରୋନା ଆକ୍ରାନ୍ତ ୟୁରୋପ ଓ ଆମେରିକାର ଆକ୍ରାନ୍ତକୁ ପାର କରିଛି ବୋଲି ଜଣାପଡିଛି । ଆମେରିକାର ବାହାରିଥିବା ଅଧିକାଂଶ ପଜିଟିଭ ଏହି ସମସ୍ତ ରାଷ୍ଟ୍ରରୁ ବାହାରିଛି । ତେବେ ଆକ୍ରାନ୍ତଙ୍କ ଅପେକ୍ଷା ଏହି ରାଷ୍ଟ୍ରମାନଙ୍କରେ ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ଦକ୍ଷିଣ ଆମେରିକାକୁ କୋଭିଡ 19ର ନୂଆ ହଟସ୍ପଟ ବୋଲି କୁହାଯାଉଛି । ଆମେରିକାରେ 17 ଲକ୍ଷ ଲୋକ କୋଭିଡ 19 ପଜିଟିଭ ହୋଇଥିବାବେଳେ ଦକ୍ଷିଣ ଆମେରିକାରେ କମ ରହିଛନ୍ତି । କିନ୍ତୁ ଯେତିକି ଆକ୍ରାନ୍ତ ବାହାରୁଛନ୍ତି ପ୍ରାୟ ଅଧିକାଂଶଙ୍କର ମୃତ୍ୟୁ ହେଉଥିବା ଜଣାପଡିଛି ।
ତେବେ ଏହି ସ୍ଥିତି ଖରାପ କରିବାରେ ଏବେ ମୁଖ୍ୟ ଭୂମିକା ନେଇଛି ବ୍ରାଜିଲ । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ଉପରେ ପହଞ୍ଚିଲାଣି । ସେହିପରି ମୃତ୍ୟୁସଂଖ୍ୟା 25 ହଜାର ଉପରେ ରହିଛି । ଯାହା ଆମେରିକା ପରେ ବିଶ୍ବରେ ଦ୍ବିତୀୟ ସର୍ବାଧିକ ବୋଲି କୁହାଯାଉଛି । ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସରକାର ଲକଡାଉନକୁ ବିରୋଧ କରିଛନ୍ତି । ଅଧିକାଂଶ ଜାଗାରୁ କଟକଣା କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ଏପରିକି ବ୍ରାଜିଲ ରାଷ୍ଟ୍ରପତି କଟକଣା ଲାଗୁକୁ ବିରୋଧ କରିଛନ୍ତି । ଟ୍ରମ୍ପଙ୍କ ଭଳି ଏହି ଦକ୍ଷିଣ ଆମେରିକାର ଦେଶର ରାଷ୍ଟ୍ରପତି କୋରୋନାକୁ ହାଲୁକା ଭାବରେ ଗ୍ରହଣ କରିଛନ୍ତି ।
ତେବେ ସ୍ବାସ୍ଥ୍ୟ ଅଧିକାରୀ ଏନେଇ ବ୍ରାଜିଲକୁ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ଏହା ଆମେରିକା ଭଳି ପରିସ୍ଥିତି ଭୋଗିବ ବୋଲି ସତର୍କ କରାଇ ଦେଇଛନ୍ତି । ଆମେରିକାର ନ୍ୟୁୟର୍କ ଭଳି ଏଠାରେ ପରିସ୍ଥିତି ଦେଖାଦେଲାଣି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଏନେଇ ଦକ୍ଷିଣ ଆମେରିକାର ରାଷ୍ଟ୍ରକୁ ସୁଧୁରିବାକୁ ନିର୍ଦ୍ଦେଶ ଦେଇଛି । ମହାମାରୀକୁ ହାଲୁକା ଭାବେ ନ ନେବାକୁ ଏହା ପରାମର୍ଶ ଦେଇଛି । ସ୍ବାସ୍ଥ୍ୟବସ୍ଥା ଦୃଢ କରିବା ବଦଳରେ ରାଷ୍ଟ୍ରପତି ଲକଡାଉନ ହଟାଇବା କଥା ଚିନ୍ତା କରୁଛନ୍ତି ଯାହା ଦୁର୍ଭାଗ୍ୟଜନକ ବୋଲି ଏହା କହିଛି ।