ନୂଆଦିଲ୍ଲୀ: ଦେଶରେ ବେକାବୁ ହେବାରେ ଲାଗିଛି କୋରୋନା ମହାମାରୀର ଦ୍ବିତୀୟ ଲହର । ହୁ ହୁ ହୋଇ ବଢିଚାଲିଛି କୋଭିଡ ସଂକ୍ରମଣ । ସାରା ଦେଶ ଏବେ କୋଭିଡ ସହ ସଂଗ୍ରାମ କରୁଥିବାବେଳେ ଭାରତର ଏଭଳି ପରିସ୍ଥିତି ଦେଖି ଅନେକ ଦେଶ ଭାରତକୁ ସହାଯୋଗର ହାତ ବଢାଇଛନ୍ତି । ଯେଉଁଥିରେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା ମଧ୍ୟ ସାମିଲ ହୋଇଛି ।
ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ ଭାରତ ଏବଂ ଭାରତର ସମସ୍ତ ନାଗରିକଙ୍କୁ ସହାୟତା କରିବାକୁ ଆଶ୍ବାସନା ଦେଇଛନ୍ତି । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିସ୍ଫୋରକ ସ୍ଥିତିରେ ବଢି ଚାଲିଛି । ଏଭଳି ସ୍ଥିତିରେ ମୁଖ୍ୟ ସମସ୍ୟା ହୋଇଛି ଅକ୍ସିଜେନ ଆଉ ବେଡ ସଂଖ୍ୟା । ଆଉ ଭାରତର ଏଭଳି ସଙ୍କଟ ସମୟରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ମଧ୍ୟ ସହଯୋଗର ହାତ ବଢାଇ କହିଛନ୍ତି ଯେ ' ଯେତେବେଳେ ଆମେରିକାରେ ମହାମାରୀ କୋରୋନା ସଙ୍କଟ ଆରମ୍ଭ ହୋଇଥିଲା, ଭାରତ ଆମକୁ ସହାୟତା କରିଥିଲା ' ।
ତେବେ ଗତ ଦୁଇ ମାସ ଧରି ଆମେରିକା ଭାରତୀୟ କମ୍ପାନୀ ସେରମ ଇଷ୍ଟିଚ୍ୟୁଟର କୋରୋନା ଟୀକା କୋଭିସିଲ୍ଡ ତିଆରିରେ ଦରକାର ହେଉଥିବା ପରଯୁକ୍ତ କଞ୍ଚାମାଲ ଯୋଗାଣ ବନ୍ଦ କରିଥିଲା । ତେବେ ଗତକାଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏନେଇ ହସ୍ତକ୍ଷେପ କରିବା ପରେ ବର୍ତମାନ ଆମେରିକା ତୁରନ୍ତ କଞ୍ଚାମାଲ ଯୋଗାଇ ଦେବାକୁ କହିଛି ।