ୱାଶିଂଟନ: କୋରୋନା କାଳରେ ଆଫଗାନିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରହିଛି । ଦୀର୍ଘଦିନ ହେବ ଗୃହଯୁଦ୍ଧ ସହ ସଂଗ୍ରାମ କରୁଥିବା ଆଫଗାନିସ୍ତାନକୁ ନେଇ ଜାତିସଂଘର ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ମିଳିତ ଜାତିସଂଘ ରିପୋର୍ଟରେ ଦର୍ଶାଇଛି ଯେ, ଆଫଗାନିସ୍ତାନରେ ପାକିସ୍ତାନର 6500 ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଏଥିମଧ୍ୟରୁ କେବଳ ଲଶ୍କର-ଏ-ତୋଇବା, ତେହରିକ-ଇ-ତାଲିବାନ ଏବଂ ଜୈଶ-ଏ-ମହମ୍ମଦ ସଂଗଠନର 1 ହଜାର ଆତଙ୍କବାଦୀ ଅଛନ୍ତି । ଯଥାଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ଆମେରିକା ପ୍ଲାନ କରୁଥିବା ବେଳେ ମିଳିତ ଜାତିସଂଘର ରିପୋର୍ଟ ଭାରତ ସରକାରଙ୍କ ଚିନ୍ତା ବଢାଇଛି ।
ରିପୋର୍ଟରେ କୁହାଯାଇଛି ଯେ ଅଧିକାଂଶ ପାକିସ୍ତାନୀ ଆତଙ୍କବାଦୀ ତାଲିବାନ ବିରୋଧରେ ଆଫଗାନିସ୍ତାନର ନିର୍ବାଚିତ ସରକାର ଏବଂ ଆମେରିକୀୟ ସୈନ୍ୟଙ୍କ ବିରୋଧରେ ଲଢେଇ କରୁଛନ୍ତି । ମିଳିତ ଜାତିସଂଘର ଯାଞ୍ଚ ସଂସ୍ଥା ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ଆଫଗାନରେ ପ୍ରାୟ 6500 ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଏଥିପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
ମିଳିତ ଜାତିସଂଘର ରିପୋର୍ଟରେ ଦର୍ଶାଯାଇଛି ଯେ ନାନଗରହାର ପ୍ରଦେଶରେ ଲଶ୍କର ଏବଂ ଜୈଶ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି । କୁନ୍ନାର ପ୍ରାନ୍ତରେ 220 ଲଶ୍କର ଆତଙ୍କବାଦୀ ଏବଂ 30 ଜଣ ଜୈଶ ଆତଙ୍କବାଦୀ ଅଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନରେ ପାକିସ୍ତାନୀ ମୂଳରୁ 6000 ରୁ 6500 ଆତଙ୍କବାଦୀ ଅଛନ୍ତି। ସେମାନଙ୍କୁ ଆକ୍ରମଣ କରିବା ସହିତ ଡ୍ରଗ୍ସ ଚୋରା ଚାଲାଣ ମଧ୍ୟ ଜାରି ରଖିଛନ୍ତି । ଏଥିରୁ ଆୟ ହେଉଛି ତାଲିବାନ ରୋଜଗାରର ମୁଖ୍ୟ ଉତ୍ସ |
ଏଥିସହ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଜିଲ୍ଲାରେ ସୁନା, ତମ୍ବା, ଟିଣ ବେଆଇନ ଭାବେ ଖନନ କରାଯାଉଛି। ଆଶ୍ଟର୍ଯ୍ୟର ବିଷୟ, ଏଥିରେ ପାକିସ୍ତାନରେ କାର୍ଯ୍ୟ କରୁଥିବା ଖଣି କମ୍ପାନୀଗୁଡିକ ଅନ୍ତର୍ଭୁକ୍ତ। ଏହି ଖଣିଜ ପଦାର୍ଥଗୁଡିକ କରାଚିରେ ପ୍ରକ୍ରିୟାକରଣ ଏବଂ ବିକ୍ରି ହୁଏ | ମିଳିତ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ଏବଂ ଅଲ୍ କାଏଦା ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ।