ୱାଶିଂଟନ: ବିଦେଶ ମାଟିରେ ଭାରତୀୟ ଯବାନଙ୍କ କବାଡି ଖେଳ । ଆମେରିକା ସୈନିକଙ୍କ ସହ ବରଫ ଉପରେ କବାଡି ଖେଳିଛନ୍ତି ଭାରତୀୟ ଯବାନ । ଦ୍ବିପାକ୍ଷିକ ପ୍ରଶିକ୍ଷଣ ଅଭ୍ୟାସ ପାଇଁ ଆମେରିକା ଗସ୍ତରେ ଅଛି ଭାରତୀୟ ସେନାର ଏକ ଟିମ୍ । ଆଲାସ୍କା ଆର୍ମି ସହ ଚାଲିଛି ଏହି ଯୁଦ୍ଧାଭ୍ୟାସ । ୧୫ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧାଭ୍ୟାସ ୨୯ ଅକ୍ଟୋବର ଯାଏଁ ଜଏଣ୍ଟ ବେସ୍ ଏଲମେନଡୋର୍ଫ ଚିଚର୍ଡସନରେ ଚାଲିବ । ଦୁଇ ଦେଶ ମଧ୍ୟରେ ଏହା ୧୭ତମ ଯୁଦ୍ଧାଭ୍ୟାସ ।
ଅଭ୍ୟାସର ଆରମ୍ଭରେ ଉଭୟ ଦେଶର ସେନା ପରସ୍ପର ସହ ପରିଚିତ ହେବା ପାଇଁ ଅନେକ ପ୍ରକାର ଗତିବିଧିର ଆୟୋଜନ କରାଯାଇଥିଲା । ଉଭୟ ଦେଶର ସୈନିକ ବରଫରେ କବାଡି ଖେଳିବା ସହ ଫୁଟବଲ ଓ ଭଲିବଲ୍ ଭଳି ଖେଳର ମଜା ନେଇଛନ୍ତି । କେବଳ ସେତିକି ନୁହେଁ, ଉଭୟ ଦେଶର ସୈନିକ ପରସ୍ପରଙ୍କୁ ବରଫ ଗୋଳା ଫିଙ୍ଗୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଆଗାମୀ ସମୟରେ ଇଣ୍ଡୋ-ପେସିଫିକ କ୍ଷେତ୍ରରେ ଆମେରିକା ସୈନିକ ଓ ଭାରତୀୟ ଯବାନ କୌଣସି ପ୍ରକାରର ଅପରେସନରେ ମିଳିତ ଭାବରେ କିପରି ସାମିଲ ହୋଇପାରିବେ, ତାହା ଏହି ଯୁଦ୍ଧାଭ୍ୟାସର ମୂଳ ଉଦ୍ଦେଶ୍ୟ । ପୂର୍ବରୁ ଏହି ଅଭ୍ୟାସ ୱାଶିଂଟନ ବେସ ଲୁଇ-ମୈକୋଡରେ ଆୟୋଜିତ କରାଯାଉଥିଲା । ସେତେବେଳେ ଏହା ମରୁଭୂମି ଅଞ୍ଚଳରେ ହେଉଥିଲା ଆୟୋଜିତ । ହେଲେ ଏଥର ଏହା ବରଫ ଅଞ୍ଚଳ ଓ ଶୀତଳ ଅଞ୍ଚଳରେ ଆୟୋଜିତ ହେଉଛି ।
ଚଳିତ ବର୍ଷ ଯୁଦ୍ଧାଭ୍ୟାସରେ ଭାରତୀୟ ସେନାର ମାଡ୍ରାସ ରେଜିମେଣ୍ଟର ତପ୍ତମ ବାଟାଲିୟନର ୩୫୦ ଯବାନ ସାମିଲ ହୋଇଛନ୍ତି । ଭାରତୀୟ ଯବାନମାନେ ଫାଷ୍ଟ ସ୍କ୍ବାର୍ଡନ ପାରାଟ୍ରୁପ୍ସ, ୪୦୪ କୈଭଲରୀ ରେଜିମେଣ୍ଟ, ଫୋର୍ଥ ଇନଫେଣ୍ଟ୍ରି ଡିଭିଜନର ୩୦୦ ସୈନିକଙ୍କ ସହ ଅଭ୍ୟାସ କରିବେ ।