କାଲିଫର୍ଣ୍ଣିଆ: ଆମେରିକାରେ ଲୋକପ୍ରିୟ ଗୁଗଲର ପ୍ଲେ ପାସ ଏବେ ଆଉ 9ଟି ଦେଶରେ ଉପଲବ୍ଧ ହେବାକୁ ଯାଉଛି । ଏନେଇ ଗୁଗଲ ପକ୍ଷରୁ ଘୋଷଣା କରାଯାଇଛି । ନୂଆ ବାର୍ଷିକ ସବସ୍କ୍ରିପସନ୍ ସହ ଅନ୍ୟ ଦେଶମାନଙ୍କର ଏହି ଗେମିଂ ଆପ୍ ଲଞ୍ଚ ହେବାକୁ ଯାଉଛି ।
ଗତବର୍ଷ ସେପ୍ଟେମ୍ବରରେ ଏହା ଆମେରିକାରେ ଲଞ୍ଚ ହୋଇଥିଲା । ଏହାପରେ ପ୍ରଥମ ଥର ପାଇଁ ବାକି ରାଷ୍ଟ୍ରମାନଙ୍କରେ ଏହାର ଲଞ୍ଚ ହେଉଛି ବୋଲି କମ୍ପାନୀ ସୂଚନା ଦେଇଛି । ଏହି ନୂଆ ରାଷ୍ଟ୍ରଗୁଡିକ ହେଲା ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ, ନ୍ୟୁଜିଲାଣ୍ଡ, ସ୍ପେନ, ୟୁକେ । ଏହି ସପ୍ତାହରେ ନୂଆ ରାଷ୍ଟ୍ରମାନଙ୍କରେ ଆପ୍ ଲଞ୍ଚ ହେବାକୁ ଯାଉଛି । ନୂଆ କଣ୍ଟେଣ୍ଟ ଏବଂ ସବସ୍କ୍ରିପସନ୍ ସହ ଏଠାକାର ୟୁଜର୍ସଙ୍କୁ ଏହି ଗେମିଂ ଆପର ସୁବିଧା ମିଳିବ ବୋଲି ଜଣାପଡିଛି ।
ଗୁଗଲ ପ୍ଲେ ପାସ୍ ଦ୍ବାରା ୟୁଜର୍ସ ଶତାଧିକ ଗେମ୍ ଏବଂ ଆପ୍ ବିନା ବିଜ୍ଞାପନରେ ବ୍ୟବହାର କରିପାରିବେ । ଆମେରିକାରେ ନୂଆ ବାର୍ଷିକ ସବସ୍କ୍ରିପସନ ଅନୁସାରେ ବର୍ଷକୁ ୟୁଜର୍ସ 29.99 ଡଲାର ଦେଇ ଏହି ସବସ୍କ୍ରିପସନ୍ କରିପାରିବେ । ଏହି ସପ୍ତାହଠାରୁ ଆମେରିକା ଲୋକଙ୍କ ପାଇଁ ଏହି ପାସ୍ ବ୍ୟବସ୍ଥା ଲାଗୁ ହେବ ବୋଲି କମ୍ପାନୀ ପ୍ରକାଶ କରିଛି । ଯେଉଁମାନେ ନୂଆ ସବସ୍କ୍ରାଇବ୍ କରିବେ ସେମାନେ ଏହି ସୁବିଧା ପାଇବେ । ତେବେ ପୁରୁଣା ୟୁଜର୍ସ ପ୍ଲେ ଷ୍ଟୋର ଆପ୍ ଭିତରେ ପ୍ଲେ ପାସ୍ ଟାବରେ ଥିବା ଅପଗ୍ରେଡ ଅପସନ ଦ୍ବାରା ଏହାର ଫାଇଦା ନେଇପାରିବେ ବୋଲି ଗୁଗଲ କହିଛି ।