ଓ୍ବାଶିଂଟନ: ଆମେରିକା-କାନାଡା ସୀମାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅସହ୍ୟ ଥଣ୍ଡାରେ ଆମେରିକା ସଂଲଗ୍ନ କାନାଡା ସୀମାରେ ଚାରି ଭାରତୀୟଙ୍କ ଦୁଃଖଦ ଭାବେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ବୟସ୍କ, ଜଣେ ଯୁବକ ଏବଂ ଜଣେ ନବଜାତ ଶିଶୁ ଥିବା ନେଇ ଜଣାପଡିଛି । ଚାରି ମୃତଦେହ ସୀମାଠୁ ୯ ରୁ ୧୨ ମିଟର ଦୂରରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ଭାରତୀୟ ଦୂତାବାସକୁ ସ୍ତବ୍ଧ କରି ଦେଇଛି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ଵିଟ୍ କରି କହିଛନ୍ତି, କାନାଡା-ଆମେରିକା ସୀମାରେ ଜଣେ ଶିଶୁ ସମେତ ୪ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ଆମେରିକା ଓ କାନାଡାରେ ଥିବା ରାଷ୍ଟ୍ରଦୂତମାନେ ଅତି ଶୀଘ୍ର ପଦକ୍ଷେପ ନିଅନ୍ତୁ । ଡିଷ୍ଟ୍ରିକ୍ଟ୍ ଅଫ୍ ମିନିସାଟୋର ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରିକରି କୁହାଯାଇଛି ଯେ ଏହି ମାମଲାରେ ମାନବ ଚାଲାଣ ଅଭିଯୋଗରେ ଫ୍ଲୋରିଡାର ୪୭ ବର୍ଷୀୟ ବ୍ୟକ୍ତି ଷ୍ଟିଭ୍ ସେଣ୍ଡଙ୍କୁ ଗିରଫ କରାଯାଇଛି ।
ଏହି ମାମଲା ଉପରେ ପ୍ରତିକ୍ରିୟା ରଖି କାନାଡାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଅମର ବିସାରିୟା କହିଛନ୍ତି, ଭାରତୀୟ ଦୂତବାସର ଏକ ଦଳ ଘଟଣାସ୍ଥଳକୁ ଯାଇଛି । ଘଟଣାର ଯାଞ୍ଚ ପାଇଁ କାନାଡା ଅଧିକାରୀଙ୍କ ସହିତ ଆମେ କାମ କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ଅଧିକାରୀମାନେ କହିଛନ୍ତି ଯେ, ମୃତକମାନେ ଭାରତରୁ ଆସିଥିଲେ ଓ କାନାଡା ଦେଇ ଆମେରିକା ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ସମସ୍ତେ ମାନବ ଚାଲାଣରେ ସାମିଲ ଥିବା କୁହାଯାଉଛି।
କାନାଡା ପୋଲିସ ପକ୍ଷରୁ କୁହାଯାଇଛି ଯେ, ଯେଉଁ ସ୍ଥାନରୁ ଏହି ୪ଟି ମୃତଦେହ ଉଦ୍ଧାର କରାଯାଇଥିଲା ସେହି ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳେ ରହିଥିଲା । ପୀଡ଼ିତଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି, କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ଅସହ୍ୟ ଥଣ୍ଡା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି।