ନୂଆଦିଲ୍ଲୀ: ରୁଷ, ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଜୁନ୍ 22 ରେ ହେବାର ସମ୍ଭାବନା ରହିଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ଭର୍ଚୁଆଲରେ ଆୟୋଜନ କରାଯିବ।
ମସ୍କୋ ଉଦ୍ୟମରେ ଆରଆଇସି (ରଷ-ଭାରତ-ଚୀନ୍)ର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ଡକାଯାଉଛି। ଏଥିରେ ବିଶ୍ବରେ କୋଭିଡ -19 ମହାମାରୀର ମୁକାବିଲା ପାଇଁ ସହଯୋଗ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।
ଏହି ବୈଠକ ପାଇଁ ତିନି ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି। ଆସନ୍ତା ସପ୍ତାହ ଆରମ୍ଭ ସୁଦ୍ଧା ଏହା ଚୂଡାନ୍ତ ହେବା ବୋଲି ଆଶା କରାଯାଉଛି ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି। ଏହାସହ ବୈଠକ ଅନେକ ଗୁଡିଏ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯେପରିକି ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ପରିସ୍ଥିତି, ଭାରତ ଓ ଚୀନ ତିକ୍ତତା ଇତ୍ୟାଦି।
ଏଲଏସି ସହତି ବୁଝମଣା ହେବା ପରେ ପ୍ରଥମ ଥର ପାଇଁ ଭାରତର ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନର ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ବୈଠକରେ ଯୋଗଦେବେ। ମେ 13 ରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବୈଦେଶିକ ମନ୍ତ୍ରୀଙ୍କ ଏକ ଭର୍ଚୁଆଲ୍ ବୈଠକରେ ଉଭୟ ନେତା ଯୋଗ ଦେଇଥିଲେ, କିନ୍ତୁ ସେତେବେଳେ ଷ୍ଟାଣ୍ଡ ଅଫ୍ ର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ ହୋଇନଥିଲା।
ତେବେ 22 ଜୁନରେ ହେବାକୁ ଥିବା ବୈଠକ ସମ୍ପର୍କରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ କି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଏହାସହ ଚୀନ ଓ ଭାରତର ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି ଭାରତ ସଫାସଫା ଶୁଣାଇଦେଇଛି। ଆମେରିକାର ରାଷ୍ଟ୍ରପତି ନିକଟରେ ଭାରତ ଏବଂ ଚୀନ୍ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ପରେ ଭାରତ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।