ଓରଲାଣ୍ଡୋ: କୋରୋନା ସଂକ୍ରମଣ ସତ୍ତ୍ବେ ପୁଣି ସ୍ବାଭାବିକ ହେବାକୁ ଯାଉଛି ଫ୍ଲୋରିଡାସ୍ଥିତ ବିଶ୍ବ ପ୍ରସିଦ୍ଧ ୱାଲ୍ଟ ଡିଜନୀ ୱାର୍ଲ୍ଡ । ଶନିବାର ଏନେଇ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଦୀର୍ଘ କେତେ ମାସର ବିରତି ପରେ ପୁଣି ଡିଜନୀ ୱାର୍ଲ୍ଡ ଖୋଲିବା ନେଇ ସ୍ପଷ୍ଟ କରାଯାଇଛି । ତେବେ ଏହାକୁ ପର୍ଯ୍ୟାୟକ୍ରମେ ଖୋଲାଯିବା ନେଇ ଜଣା ପଡିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯିବା ସହ ଥିମ ପାର୍କ ମଧ୍ୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।
ଫ୍ଲୋରିଡାରେ ବର୍ତ୍ତମାନ ସୁଦ୍ଧା 11,400 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକଣା କୋହଳ ପ୍ରକ୍ରିୟା ଏଠାରେ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିବା ଜଣା ପଡିଛି । ତେବେ ଡିଜନୀ ୱାର୍ଲଡ ଖୋଲିବା ସହ ଶନିବାରଠାରୁ ଏଠାରେ ବୁକିଂ ଆରମ୍ଭ ହୋଇଛି । ଜଣେ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ହେଲେ ଆଡଭାନ୍ସ ବୁକିଂ କରିବାକୁ ହେବ । ଏହାପରେ ସେମାନେ ମ୍ୟାଜିକ କିଙ୍ଗଡମ ଓ ଡିଜନୀର ଆନିମଲ କିଙ୍ଗଡମ ବୁଲି ଏହାର ମଜା ଉଠାଇପାରିବେ ।
ଆଗକୁ ଜୁଲାଇ 15ରେ ଏପକଟ୍ ଓ ହଲିଉଡ ଷ୍ଟୁଡିଓ ଖୋଲିବାର ଯୋଜନା ରହିଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ଡିଜନୀ ୱାର୍ଲ୍ଡର କର୍ମଚାରୀ ଓ ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରବେଶ ସମୟରେ ସେମାନଙ୍କ ଶରୀରର ତାପମାତ୍ରା ପରୀକ୍ଷା କରାଯିବା ସହ ପୂର୍ବରୁ ଆୟୋଜିତ ପ୍ୟାରେଡ ଓ ଫାୟାରୱାର୍କକୁ ସ୍ଥଗିତ ରଖାଯାଇଛି ।
ଅନ୍ୟ ଥିମ ପାର୍କ ଯଥା ୟୁନିଭର୍ସା ଷ୍ଟୁଡିଓ ଓ ସି ୱାର୍ଲଡ ଜୁନରୁ ଖୋଲିଥିବା ବେଳେ ଇତିମଧ୍ୟରେ ଟୋକିୟୋ ଡିଜନୀ ୱାର୍ଲଡ ଓ ଡିଜନୀ ସି ଜୁଲାଇ 1ରୁ ଖୋଲିଥିଲା । ଆଗକୁ ଡିଜନୀଲ୍ୟାଣ୍ଡ ପ୍ୟାରିସ ମଧ୍ୟ ଖୋଲିବାର ଯୋଜନା ରହିଛି ।
@IANS