ନ୍ୟୁୟର୍କ: ବାୟୁର ଧୂଳିକଣାରେ କୋରୋନା ଭୂତାଣୁ ରହିବାର ଅନେକ ସୁଯୋଗ ରହିଥାଏ । ଛୋଟ ଛୋଟ ଏୟାର ଡ୍ରପଲେଟରେ ଏମାନେ ରହିପାରନ୍ତି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଫଳରେ ଏହାଦ୍ବାରା ଏମାନେ ସହଜରେ ମଣିଷ ଶରୀରରେ ପ୍ରବେଶ କରିପାରିବେ । ସେଥିପାଇଁ ଖୋଲାରେ ଛିଙ୍କିବା ଅବା କାଶିବା ଉପରେ ରୋକ ଲଗାଯାଇଛି । ତେବେ ବାୟୁରେ ଭୂତାଣୁଙ୍କୁ ବ୍ୟାପିବାରୁ ଅଲଟ୍ରା ଭାଓଲେଟ୍ ରଶ୍ମି ରକ୍ଷା କରିପାରିବ ବୋଲି ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ।
ଏକ ନିର୍ଦ୍ଦିଷ୍ଟ ଅଲଟ୍ରା ଭାଓଲେଟ୍ ରଶ୍ମି ସଂସ୍ପର୍ଶରେ ଆସିଲେ ଏହି ଧୂଳିକଣାରେ ଥିବା 99.9 ପ୍ରତିଶତ ଭୂତାଣୁ ନଷ୍ଟ ହୋଇଯାଆନ୍ତି । ଦୁଇଟି ଭୂତାଣୁକୁ ବାୟୁରେ ଏକାଠି କରି ଏହାକୁ ଏକ ୟୁଭିସି ଲ୍ୟାମ୍ପ ସାମନାରେ ପାସ କରିଥିଲେ ରିସର୍ଚ୍ଚର । ଏଥିରେ ଉଭୟ ଭୂତାଣୁଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ମାତ୍ର 8 ମିନିଟରେ 90 ପ୍ରତିଶତ କୋଭିଡ 19 ଭୂତାଣୁ ଏପରି ଭାବେ ନଷ୍ଟ ହୋଇପାରିବେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ସେହିପରି 95 ପ୍ରତିଶତ ନଷ୍ଟ ହେବା ପାଇଁ 11 ମିନିଟ୍ ସମୟ ଲାଗିବ । ମାତ୍ରା ବଢିଚାଲିଲେ ସମୟ ମଧ୍ୟ ବଢିବ ବୋଲି ରିସର୍ଚ୍ଚରମାନେ ପ୍ରକାଶ କରିଛନ୍ତି । 99 ପ୍ରତିଶତ ଭୂତାଣୁ ମରିବା ପାଇଁ 16 ମିନିଟ୍ ଲାଗିବ । 99.9 ପ୍ରତିଶତ ଭୂତାଣୁ 25 ମିନିଟରେ ମରିଯିବେ ବୋଲି ଜଣାପଡିଛି ।
ଏହି ପ୍ରକ୍ରିୟାକୁ ଇଣ୍ଡୋର ପବ୍ଲିକ ପ୍ଲେସରେ ବ୍ୟବହାର କରିହେବ । ଏଠାରେ ମୁଣ୍ଡ ଉପରେ ଏକ ୟୁଭିସି ଲ୍ୟାମ୍ପ ଇନଷ୍ଟଲ କଲେ ଲୋକ ଏହା ତଳେ ପାସ୍ କରିବେ । ଏପରି ଦ୍ବାରା କୋରୋନା ଭୂତାଣୁ ମଣିଷ ଭିତରେ ବ୍ୟାପିପାରିବ ନାହିଁ । ତେବେ ଏହି ଲ୍ୟାମ୍ପର ସୁରକ୍ଷା ଏବଂ ମଣିଷ ଶରୀର ଉପରେ ଏହାର ପ୍ରଭାବ ଦୃଷ୍ଟିକୁ ଦେଖି ଏହାକୁ ହସ୍ପିଟାଲ, ବସ୍, ସ୍କୁଲ, ରେସ୍ତୋରାଁ, ଅଫିସ, ଜିମ୍, ଥିଏଟର ଆଦିରେ ଇନଷ୍ଟଲ କରିହେବ ।