ୱାଶିଂଟନ: ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କୋରୋନା ସଂକ୍ରମିତ ହେବା ପରେ ଆର୍ମି ହସ୍ପିଟାଲ ୱାଲ୍ଟର ରିଡରେ ଚିକିତ୍ସିତ ହେଉଛନ୍ତି ଟ୍ରମ୍ପ । ଏହି ସମୟରେ ସେ ନିଜର କାର୍ଯ୍ୟକାରୀ ଜାରି ରଖିବେ ବୋଲି ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଡୋନାଲ୍ଡଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଗତ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ମହିଳା ମେଲାନିଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ଟ୍ରମ୍ପ ଟୁଇଟ କରି ସୂଚନା ଦେଇଥିଲେ । କୋରୋନା ସଂକ୍ରମିତ ଟ୍ରମ୍ପ ଦମ୍ପତି ଜଣାପଡିବା ପରେ ସମସ୍ତେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସମସ୍ତଙ୍କ ସହଯୋଗ ପାଇ ଟ୍ରମ୍ପ ନିଜ ଟ୍ବିଟର ହ୍ୟାଣ୍ଡେଲ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି । ବର୍ତ୍ତମାନ ସେ ଏବଂ ପତ୍ନୀ ମେଲାନିଆ ସୁସ୍ଥ ଅଛନ୍ତି ବୋଲି କହିଥିଲେ ।
ଟ୍ରମ୍ପଙ୍କ ଟ୍ବିଟ ପୂର୍ବରୁ ହ୍ବାଇଟ ହାଉସର ପ୍ରେସ ସଚିବ କେଏଲି ମ୍ୟାକେନାନି କହିଥିଲେ, ସତର୍କତା ହେତୁ ଟ୍ରମ୍ପ ଡାକ୍ତରଖାନାରେ ଆସନ୍ତା କିଛି ଦିନ ପାଇଁ ହସ୍ପିଟାଲରେ ରହି ନିଜ ଦାୟିତ୍ବ ସମ୍ପନ୍ନ କରିବେ ।
ସେପଟେ ନଭେମ୍ବର 3 ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଥିବାରୁ ସମସ୍ତ କ୍ୟାମ୍ପେନ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ କରାଯିବ । ସେହିପରି ଫାଷ୍ଟ ଲେଡି ମେଲାନିଆଙ୍କ ସମସ୍ତ କାର୍ଯ୍ୟକୁ ସ୍ଥଗିତ କରାଯାଇଛି । କ୍ୟାମ୍ପେନର ଅନ୍ୟ ସମସ୍ତ କାର୍ଯ୍ୟର ନିଷ୍ପତ୍ତି ଗୋଟିଏ ପରେ ଗୋଟିଏ ନିଆଯିବ । ତେବେ ବର୍ତ୍ତମାନ ଉପରାଷ୍ଟ୍ରପତି ମାଇକ ପେନ୍ସ ନିର୍ବାଚନ ପ୍ରଚାର ଜାରି ରଖିବେ।
@ANI