ବ୍ରାସିଲିଆ: ବ୍ରାଜିଲରେ କୋରୋନା ସଂକ୍ରମଣକୁ ରୋକିବା ପ୍ରୟାସରେ ଲାଗିଥିବା ବେଳେ ଏହାର କବଳରେ ଆସିଛନ୍ତି ଖୋଦ ରାଷ୍ଟ୍ରପତି ଜାଏର ବୋଲସୋନାରୋ । ମଙ୍ଗଳବାର ଗଣମାଧ୍ୟମକୁ କୋରୋନା ସମ୍ପର୍କୀତ ବିବରଣୀ ଦେବା ସମୟରେ ତାଙ୍କର ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ସେ କୋରୋନା ସଂକ୍ରମିତ ଥିବା ଜଣା ପଡିଥିଲା ।
ତେବେ ରିପୋର୍ଟରେ ପଜିଟିଭ ଥିବା ଜଣା ପଡିବା ପରେ ରାଷ୍ଟ୍ରପତି ଜାଏର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ କି ତାଙ୍କୁ କୋରୋନାର କୌଣସି ଲକ୍ଷଣ ଅନୁଭୂତ ହୋଇ ନଥିଲା । ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ଚାଲିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଡାକ୍ତର ତାଙ୍କୁ ଏହା କରିବାରୁ ମନା କରିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।
ସୂଚନା ମୁତାବକ କୋରୋନା ସଂକ୍ରମଣର କଡାକଡି କଟକଣା ସତ୍ତ୍ବେ ବ୍ରାଜିଲ ରାଷ୍ଟ୍ରପତି ଅନେକ ସମୟରେ ବିନା ମାସ୍କରେ ଜନସାଧାରଣଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କ ଭିଡ ମଧ୍ୟରେ ସମୟ ବିତାଇଥିବା ଦେଖାଯାଇଥିଲା । ହେଲେ ଜଣେ କ୍ରୀଡାବିତ୍ ହୋଇଥିବାରୁ ଏହି ସୁସ୍ଥ ଜୈବନଶୈଳୀ ତାଙ୍କୁ କୋରୋନା କବଳରୁ ଶୀଘ୍ର ମୁକ୍ତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା 1,500,000 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 65,000 ଛୁଇଁଛି । ସେପଟେ ବ୍ରାଜିଲର ବର୍ତ୍ତମାନ ସ୍ଥିତି ଅନୁଯାୟୀ ପ୍ରାୟ 70 ପ୍ରତିଶତ ନାଗରିକ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ।