ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ସେ ଆଇସିୟୁରେ ଦ୍ବିତୀୟ ରାତ୍ରୀ ବିତାଇଛନ୍ତି । ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ନିରନ୍ତର ଚିକିତ୍ସା ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ।
ସେ ଏହାମଧ୍ୟ କହିଛନ୍ତି ଯେ, 55 ବର୍ଷୀୟ ବୋରିସ ସାଧାରଣ ଅକ୍ସିଜେନ ଚିକିତ୍ସା ନେଉଛନ୍ତି । ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଭେଣ୍ଟିଲେଟରର ଆବଶ୍ୟକତା ପଡିନାହିଁ । ଏପର୍ଯ୍ୟନ୍ତ କୋଭିଡ-19 ଆକ୍ରାନ୍ତଙ୍କ ମଧ୍ୟରେ ବୋରିସ ହେଉଛନ୍ତି ସର୍ବୋଚ୍ଚ ସରକାରୀ ନେତା ।
ଏଠାରେ ସୂଚନା ଥାଉ ଯେ, ପ୍ରଧାନମନ୍ତ୍ରୀ ବୋରିସଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମାର୍ଚ୍ଚ 27 ରୁ ସେ ସେଲ୍ଫ ଆଇସୋଲେସନରେ ରହିଥିଲେ । ଏଥିପାଇଁ ତାଙ୍କୁ ଗତ ରବିବାର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କ ସ୍ଥିତି ବିଗିଡିବା ପରେ ସୋମବାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ତେବେ ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ ବୋରିସଙ୍କ କ୍ଷେତ୍ରରେ କହିଛନ୍ତି ଯେ, ମୁଁ ଯେତିକି ଜାଣିଛି ବୋରିସ ଜଣେ ଯୋଦ୍ଧା ଏବଂ ସେ ଏହି ପରିସ୍ଥିତିରୁ ଖୁବ ଶୀଘ୍ର ଭଲ ହୋଇଯିବେ । ଆମକୁ ଖୁବ କମ ଦିନ ପାଇଁ ଏହି ସଂଘର୍ଷ ଲଢିବାକୁ ପଡିବ ।
ତେବେ ଏବେ ସୁଦ୍ଧା ଲଣ୍ଡନରେ ମହାମାରୀ କୋରୋନା 6,200 ଜଣଙ୍କର ପ୍ରାଣ ନେଇଥିବାବେଳେ 55,000 ଜଣ ଆକ୍ରାନ୍ତ ହୋଇସାରିଲେଣି ।