ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଓ ଫାସ୍ଟ ଲେଡିଙ୍କୁ ଦିଆଯିବ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଜାନୁଆରୀ 20ରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବାବେଳେ ଆମେରିକାରେ ଭର୍ଚ୍ଚୁଆଲ ପ୍ୟାରେଡ ଆୟୋଜନ ହେବ । ଏନେଇ ଆୟୋଜନ କମିଟି ପକ୍ଷରୁ ଘୋଷଣା କରାଯାଇଛି ।
ଏହି ଶପଥ ଗ୍ରହଣ ଉତ୍ସବରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ, ଫାସ୍ଟ ଲେଡି ଜିଲ୍ ବିଡେନଙ୍କ ସମେତ ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ ଏବଂ ତାଙ୍କ ସ୍ବାମୀ ଅଂଶଗ୍ରହଣ କରିବେ । କୋରୋନା ଯୋଗୁଁ ଭିଡକୁ ଦୃଷ୍ଟିରେ ରଖି ଉର୍ଚ୍ଚୁଆଲ ମାଧ୍ୟମରେ ପ୍ୟାରେଡ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ୱାଶିଂଟନର 15 ତମ ଷ୍ଟ୍ରିଟରୁ ହ୍ବାଇଟ ହାଉସ ପର୍ଯ୍ୟନ୍ତ ସେନାର ପ୍ରତ୍ୟେକ ଶାଖାର ପ୍ରତିନିଧିଙ୍କ ସହ ବିଡେନ ଏକ ପାରମ୍ପାରିକ ରାଷ୍ଟ୍ରପତି ଏସକର୍ଟ ମଧ୍ୟ ଗ୍ରହଣ କରିବେ। ଏଥିରେ ସାମାଜିକ ଦୂରତା ରକ୍ଷା କରିବାକୁ ବିଶେଷ ଦୃଷ୍ଟି ଦିଆଯିବ ।
ତେବେ ଆୟୋଜନ ହେବାକୁ ଥିବା ଏହି ପ୍ୟାରେଡ ଇଭେଣ୍ଟକୁ ଟେଲିକାସ୍ଟ କରାଯିବ । ସମଗ୍ର ଦେଶରେ ସମ୍ପ୍ରଦାୟର “ବିବିଧ ଓ ଗତିଶୀଳ” ପ୍ରଦର୍ଶନ କରାଯିବ ବୋଲି ଉଦ୍ଘାଟନୀ କମିଟି ପ୍ରତିଶୃତି ଦେଇଛି। ଆସନ୍ତା ସପ୍ତାହରେ ପ୍ୟାରେଡର ଅଂଶଗ୍ରହଣକାରୀଙ୍କୁ ଘୋଷଣା କରାଯିବ।
ରାଷ୍ଟ୍ରପତି ଉଦ୍ଘାଟନୀ କମିଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଜୁ ଭାର୍ଗସେ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ମୁହୂର୍ତ୍ତରେ ଉପସ୍ଥିତ ଥିବା ସମସ୍ତ ଆମେରିକୀୟଙ୍କୁ ଆମ ଦେଶର ପବିତ୍ର ଉଦ୍ଘାଟନୀ ପରମ୍ପରାରେ ଭାଗ ନେବାକୁ ଅନୁମତି ଦେବା ପାଇଁ ଉତ୍ସାହିତ ଅଛୁ ।