ୱାସିଂଟନ: ନିକଟରେ ଆମେରିକୀୟ କମ୍ପାନୀ ବେଟର ଡଟ୍ କମ୍(Better.com)ର ସିଇଓ(CEO) ବିଶାଲ ଗର୍ଗ ଜୁମ୍ ଭିଡିଓ କଲ(Zoom video call) ମାଧ୍ୟମରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲେ । ଏହି ଜୁମ୍ କଲର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଏବଂ ସିଇଓ ବିଶାଲଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା । ଏହି ଘଟଣା ପରେ ବିଶାଲ ନିଜର ଛଟେଇ ତରିକା ପାଇଁ ସବୁ କର୍ମଚାରୀଙ୍କୁ ପତ୍ର ଲେଖି କ୍ଷମା ମାଗିଛନ୍ତି ।
କାର୍ଯ୍ୟଦକ୍ଷତା, ପ୍ରଦର୍ଶନ ଏବଂ ଉତ୍ପାଦକତା ଆଦି ମାନଦଣ୍ଡ ଆଧାରରେ କର୍ମଚାରୀଙ୍କୁ ଏକକାଳୀନ ଛଟେଇ କରାଯାଇଥିବା ସିଇଓ ବିଶାଲ ଗର୍ଗ କହିଥିଲେ । ଜୁମ୍ କଲ(Zoom call) ଜରିଆରେ ଏକକାଳୀନ ଏତେସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ବିଶେଷକରି ବିଶାଲ ଯେଉଁଭଳି ଭାବେ କର୍ମଚାରୀଙ୍କୁ ବିଦା କରିଥିଲେ ସେନେଇ ସାଧାରଣରେ ଆପତ୍ତି ଉଠିଥିଲା । ତେଣୁ ଏହାକୁ ହୃଦୟଙ୍ଗମ କରି ସିଇଓ ବିଶାଲ ନିଜ ଭୁଲ୍ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିବା କହୁଯାଉଛି । ଯେଉଁଭଳି ଭାବେ ମୁଁ କର୍ମଚାରୀଙ୍କୁ ଛଟେଇ କଲି ତାହା ଭୁଲ୍ ବୋଲି ବିଶାଲ ଗର୍ଗ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, Better.com ହେଉଛି ଏକ ଆମେରିକୀୟ କମ୍ପାନୀ । ଯାହା ଗ୍ରାହକଙ୍କୁ ଅନଲାଇନ ମାଧ୍ୟମରେ ଋଣ ଦେଇଥାଏ ।