ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଓ ଆମେରିକା ନିଜ ସୈନ୍ୟ ସାମନ୍ତ ଧରି ସ୍ବଦେଶ ଫେରିଯିବା ପରେ ଦେଶରେ ସରକାର ଗଠନ ରୂପରେଖ ପ୍ରସ୍ତୁତିକୁ ମୋହର ମାରିବାକୁ ଯାଉଛି ତାଲିବାନ । କୁହାଯାଉଛି ଆଜି ଦ୍ବିପ୍ରହର ନମାଜ ପାଠ ପରେ ନୂଆ ସରକାର ଗଠନ ନେଇ ଘୋଷଣା କରିପାରେ ତାଲିବାନ ।
ତାଲିବାନ ସୂତ୍ରକୁ ଆଧାର କରି ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ତାଲିବାନ ସରକାର ଇରାନ ମଡେଲରେ ଚାଲିବ । ନୂଆ ବ୍ୟବସ୍ଥା ଅନୁସାରେ ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହେବତୁଲ୍ଲାହ ଅଖୁନ୍ଦଜାଦା ହେବେ ସରକାରର ମୁଖ୍ୟ । ତାଙ୍କ ଅଧିନରେ ରାଷ୍ଟ୍ରପତି ଓ ଅନ୍ୟ ଅଧିକାରୀ କାର୍ଯ୍ୟ କରିବେ । କାରଣ ମୌଳବାଦୀ ଇସଲାମିକ ଆଇନ ଅନୁସାରେ ଇରାନରେ ସର୍ବୋଚ୍ଚ ନେତା ହେଉଛନ୍ତି ଦେଶର ରାଜନୈତିକ ଓ ଧାର୍ମିକ ମୁଖ୍ୟ । ସେହି ଅନୁସାରେ ତାଲିବାନ ଶାସନ କରିବାକୁ ଯୋଜନା କରିଛି ।
ମୁଲ୍ଲା ହେବତୁଲ୍ଲାହ ଅଖୁନ୍ଦଜାଦା ସରକାରର ମୁଖ୍ୟ ରହି, ସମସ୍ତ ନିଷ୍ପତ୍ତି ନେବେ । ସାମାରିକ, ଅର୍ଥନୈତିକ ଓ ସାଂସ୍କୃତିକ ସମ୍ବନ୍ଧରେ ତାଙ୍କର ନିଷ୍ପତ୍ତି ହିଁ ଚୂଡାନ୍ତ ହେବ । ତାଲିବାନ ଶାସନ କ୍ଷମତା ଦଖଲ କରିବା ପୂର୍ବରୁ ଏକାଧିକ ପ୍ରଦେଶରେ ପୋଲିସ ମୁଖ୍ୟ ଓ ଜିଲ୍ଲା ଅଧିକାରୀ ନିଯୁ୍କ୍ତି ଦେଇ ସାରିଛି । କେବଳ ପ୍ରଦେଶ ମୁଖ୍ୟ ତଥା ଗଭର୍ଣ୍ଣର ନିଯୁକ୍ତି ନୂଆ ସରକାର ଗଠନ ହେଲେ କରାଯିବ ବୋଲି ତାଲିବାନ କହିଛି । ତେବେ ଦେଶର ଜାତୀୟ ସଂଗୀତ ଓ ପତାକା କଣ ହେବ ତାହା ନୂଆ ସରକାର ସ୍ଥିର କରିବ ବୋଲି ଜଣାପଡିଛି ।
ତେବେ ତାଲିବାନ କହିଛି ସରକାରରେ ବିଦାୟୀ ସରକାରରେ ସାମିଲ ଥିବା କାହାକୁ ସାମିଲ କରାଯିବ ନାହିଁ । କିନ୍ତୁ ମହିଳାଙ୍କୁ ସରକାରରେ ସାମିଲ କରାଯିବ କି ନାହିଁ ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ହୋଇନାହିଁ । କାରଣ ଯେଉଁ ସରକାର ଗଠନ ହେବ ଦେଶର ଅର୍ଥ ବ୍ୟବସ୍ଥା ସଜାଡିବା ଓ ଶାସନ ପରିଚାଳନା କରିବା ସବୁଠାରୁ ଆହ୍ବାନପୂର୍ଣ୍ଣ ହେବ । ବିଦେଶୀ ସହାୟତା ସହ ଅନେକ ଫଣ୍ଡ ଏବେ ଫ୍ରିଜ ହୋଇ ସାରିଛି । ତେଣୁ ଅର୍ଥ ସଂକଟ ନୂଆ ସରକାର ପାଇଁ ବଡ ଚ୍ୟାଲେଞ୍ଜ ହେବ ।
@ANI