ହାଇଦ୍ରାବାଦ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ପାଇଁ ଆଜି (ଅକ୍ଟୋବର 10) ଏକ ଖାସ୍ ଦିନ । ରକୁଲ ଆଜି ତାଙ୍କର 33ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ରକୁଲ ତାଙ୍କ ପ୍ରେମିକ ତଥା ନିର୍ମାତା ଜ୍ୟାକି ଭଗ୍ନାନୀଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି । ଏକ ରେସ୍ତୋରାଁ ବାହାରେ ରକୁଲ ଏବଂ ଜ୍ୟାକିଙ୍କୁ ଏକାଠି ଦେଖିବାକୁ ମିଳିଛି । 9 ଅକ୍ଟୋବର ରାତିରେ ରକୁଲ ତାଙ୍କ ପ୍ରେମିକଙ୍କ ସହ ମୁମ୍ବାଇର ଏକ ରେସ୍ତୋରାଁରେ ନଜର ଆସିଥିଲେ । ଏଠାରେ ଜ୍ୟାକିଙ୍କ ହାତରେ ବେଲୁନ୍ ଥିଲା ଏବଂ ରକୁଲ ମଧ୍ୟ ବହୁତ ଖୁସି ଦେଖା ଯାଉଥିଲେ ।
ରକୁଲଙ୍କ ଜନ୍ମଦିନରେ ଯୋଗ ଦେଇଥିବା ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ତାଙ୍କ ଜନ୍ମଦିନ ଉତ୍ସବର ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଏଥି ସହିତ ମଲାଇକା ଆରୋରାଙ୍କ ସମେତ ଅନେକ ତାରକା ମଧ୍ୟ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ଜନ୍ମଦିନରେ, ରକୁଲ ଏକ ସିଲଭର ଏବଂ ଗ୍ରେ ରଙ୍ଗର ପୋଷାକରେ ନଜର ଆସିଥିଲେ । ଏପଟେ ଅଭିନେତ୍ରୀଙ୍କ ପ୍ରେମିକ ଜ୍ୟାକି ଟୋପି ସହିତ ଅଲ୍ ବ୍ଲାକ ଲୁକରେ ନଜର ଆସିଛନ୍ତି । ଗର୍ଲଫ୍ରେଣ୍ଡ ରକୁଲଙ୍କ ଜନ୍ମଦିନରେ ଜ୍ୟାକି ବହୁତ ଖୁସି ଦେଖା ଯାଉଛନ୍ତି ।
ଉଲ୍ଲେଖନୀୟ ଯେ, ରକୁଲ 2021 ମସିହାରେ ତାଙ୍କ ଇନଷ୍ଟା ପୋଷ୍ଟରେ ଜ୍ୟାକିଙ୍କ ସହ ସମ୍ପର୍କ ଘୋଷଣା କରିଥିଲେ । ସେହି ଦିନଠାରୁ ଏହି କପଲ୍ ଗତ 2 ବର୍ଷ ଧରି ପରସ୍ପରକୁ ଖୋଲାଖୋଲି ଭାବେ ଡେଟ୍ କରୁଥିଲେ । କୁହାଯାଉଛି ୨୦୨୩ ମସିହାରେ ଏହି କପଲ୍ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି । ରକୁଲ ଏବଂ ଜ୍ୟାକି ପ୍ରାୟତଃ ଏକାଠି ନଜର ଆସନ୍ତି । ଦୁହେଁ ପରସ୍ପରକୁ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କ ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ ଚାହୁଁଛନ୍ତି । ଏଥିରେ ରକୁଲଙ୍କ ଭାଇ ମଧ୍ୟ ସହମତ ଅଛନ୍ତି ।
ରକୁଲ ପ୍ରୀତ ସିଂହ ସାଉଥ୍ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ଗତ କିଛି ସମୟରେ ସେ ବଲିଉଡରେ ମଧ୍ୟ ଭଲ ସ୍ଥାନ ସୃଷ୍ଟି କରିଛନ୍ତି ।ରକୁଲ ପ୍ରୀତଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଛତ୍ରୀୱାଲି’ରେ ଦେଖିବାକୁ ମିଳିଥିଲା । ରୋନି ସ୍କ୍ର୍ୟିୱାଲାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ‘ଛତ୍ରୀୱାଲି’ର ନିର୍ଦ୍ଦେଶନା ଦେଇଛନ୍ତି ତେଜସ ପ୍ରଭା ବିଜୟ ଦେଓସ୍କର । ପୁରୁଷ ଗର୍ଭନିରୋଧକ ଓ ନିରାପଦ ଶାରୀରିକ ସମ୍ପର୍କର ଗୁରୁତ୍ୱ ଉପରେ ଏକ ସଶକ୍ତ ସାମାଜିକ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଫିଲ୍ମର ଉଦ୍ଦେଶ୍ୟ ଥିଲା । ଫିଲ୍ମରେ ରକୁଲ ଏକ କଣ୍ଡୋମ କାରଖାନାରେ କ୍ୱାଲିଟି କଣ୍ଟ୍ରୋଲ୍ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ହାସ୍ୟରସ ଓ ସମ୍ବେଦନଶୀଳତା ସହିତ ଫିଲ୍ମଟି ସମାଜକୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲା ।