ହାଇଦ୍ରାବାଦ: ଆଉ ଆମ ଗହଣରେ ନାହାନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ। ଦିଲ୍ ଢୁଣ୍ଡତା ହେ, ନାମ ଗୁମ ଜାଏଗା, ଏକ ଅକେଲା ଇସ୍ ସେହେର ମେଁ, କିସି ନଜର କୋ ତେରା ଇନ୍ତିଜାର ଆଜ ଭି ହେ, ହୋକେ ମଝବୁର ମୁଝେ, ଉସ୍ନେ ବୁଲାୟା ହୋଗା... ଭଳି ବହୁ ଲୋକପ୍ରିୟ ହିନ୍ଦୀ ଫିଲ୍ମ ଗୀତରେ କଣ୍ଠଦାନ କରି ସେ ବେଶ୍ ଲୋକପ୍ରିୟ ହୋଇଥିଲେ । ୫ ଦଶନ୍ଧିର ଲମ୍ବା ଗାୟକ କ୍ୟାରିୟର ଭିତରେ ସେ ବଲିଉଡରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । ଗଜଲ ପାଇଁ ସେ ବେଶ୍ ଜଣାଶୁଣା ଥିଲେ । ତାଙ୍କର ସୁଲଳିତ କଣ୍ଠରେ ଅନେକ ଗୀତ ହିଟ୍ ହୋଇଛି । କେବଳ ଯେ, ବଲିଉଡ କାହିଁକି ଓଡ଼ିଆ ସଙ୍ଗୀତ ଏବଂ ଚଳଚ୍ଚିତ୍ର ଜଗତ ପାଇଁ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି । ସବୁଠୁ ଖାସ୍ କଥା ହେଲା ତାଙ୍କର ସବୁ ଓଡ଼ିଆ ଗୀତ ଆଜି ବି ଲୋକପ୍ରିୟ ।
ଓଡ଼ିଆ ଗୀତ ମଧ୍ୟରେ ‘ଶୁଣ ମୋର ବନ୍ଧୁ…’ ଏବଂ ‘ମାଗେ ମେଲାଣି ଯେବେ ଲାଜରେ ଯାମିନୀ…'ଏହି ଦୁଇଟି ଗୀତ ରହିଛି । ଏହି ଗୀତ ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ହୋଇଥିବାବେଳେ ପ୍ରଥମଟି ତାଙ୍କର ଏକକ ଗୀତ ଓ ଅନ୍ୟଟି ସେ ଅନୁରାଧାଙ୍କ ସହ ଦ୍ବୈତ ଭାବେ କଣ୍ଠଦାନ କରିଥିଲେ। ସେହିପରି ସଙ୍ଗୀତ ନିର୍ଦେଶକ ବିକାଶ ଦାସଙ୍କ ପ୍ରଥମ ଓଡ଼ିଆ ଛବି ‘ଭାଗ୍ୟ ହାତେ ଡୋରି’ର ଶୀର୍ଷକ ଗୀତ ଏବଂ ରାଜଲକ୍ଷ୍ମୀ ପ୍ରଡକସନ୍ସର ପ୍ରଥମ ଓଡ଼ିଆ ଛବି ‘ଉଲକା’ର ଗୋଟିଏ ଗୀତରେ କଣ୍ଠଦାନ କରିଥିଲେ ଭୂପିନ୍ଦର ।
ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ୭ଟା ୪୫ ମିନିଟରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭୂପିନ୍ଦର । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ନିକଟରେ ତାଙ୍କୁ ମୁମ୍ବାଇର କ୍ରିଟିକେୟାର ଏସିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ତାଙ୍କର ଶେଷ ରୀତିନୀତି କରାଯାଇଛି । ତାଙ୍କର ପେଟ ସମ୍ବନ୍ଧୀୟ ରୋଗ ହୋଇଥିବା ଜଣାପଡିଛି । ଭୂପିନ୍ଦର ସିଂଙ୍କ ମୃତ୍ୟୁ ବିଷୟରେ ପତ୍ନୀ ମିତାଲି ସିଂ ସୂଚନା ଦେଇଛନ୍ତି ।
କ୍ରିଟିକେୟାର ଏସିଆ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଦୀପକ ନାମଜୋଶୀ କହିଛନ୍ତି ଯେ, 'ଭୂପିନ୍ଦରଙ୍କୁ ୧୦ ଦିନ ପୂର୍ବରୁ ଏଠାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସଂକ୍ରମଣ ହୋଇଥିଲା । ତାଙ୍କ ପେଟରେ ଅସୁସ୍ଥତା ଥିବା ଆମେ ସନ୍ଦେହ କରୁଥିଲୁ ଏବଂ ଏହାପରେ ଚିକିତ୍ସା କରିଥିଲୁ । ଏହି ସମୟ ମଧ୍ୟରେ ସେ କୋରୋନାରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ତେବେ ସୋମବାର ସକାଳେ ତାଙ୍କ ଅବସ୍ଥା ବିଗିଡିଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ହୃଦଘାତରେ ପୀଡିତ ହୋଇ ସୋମବାର ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ ।'