ହାଇଦ୍ରାବାଦ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ପୁଣି ଏକ ଦୁଃଖଦ ଖବର । ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ବିଜେତା ପ୍ରଦୀପ ସରକାରଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ବର୍ତ୍ତମାନ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଅଜିତ କୁମାରଙ୍କ ପିତା ପି ସୁବ୍ରମଣ୍ୟମଙ୍କ ଦେହାନ୍ତ ହୋଇଛି । ଅଭିନେତାଙ୍କ ପିତା 85 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ବିୟୋଗ ହୋଇଛି ।
ଅଜିତଙ୍କ ପିତା କିଛି ବର୍ଷ ହେବ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତ କରୁଥିଲେ । ଗତ ଚାରି ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ ଅଭିନେତା ଅଜିତଙ୍କ ପିତା ସୁବ୍ରମଣ୍ୟମ । ତେବେ ଆଜି ଚେନ୍ନାଇ ବିଚ୍ ରୋଡ୍-ଇଞ୍ଜାମବାକ୍କମ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତାଙ୍କ ପରଲୋକ ହୋଇଛି । 3 ଭାଇ ଅନୁପ କୁମାର, ଅଜିତ କୁମାର ଏବଂ ଅନୀଲ କୁମାର ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, 'ଆମ ପିତା ପିଏସ୍. ମଣି (85 ବର୍ଷ) ଅନେକ ଦିନ ଯାଏ ଶଯ୍ୟାଶାୟୀ ଥିଲେ । ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଛି । ଯେଉଁମାନେ ବାପାଙ୍କ ସେବା କରିବା ସହ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇଥିଲେ ସେମାନଙ୍କ ପ୍ରତି ଆମେ ଓ ଆମ ପରିବାର ଋଣୀ ରହିବ ।
ଏଥିସହ ଅଜିତ କୁମାରଙ୍କ ପିତାଙ୍କ ମୃତ୍ୟୁରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ଅଜିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ଦକ୍ଷିଣ ସେଲିବ୍ରିଟି ଏବଂ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଶୋକପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ତେବେ ଚେନ୍ନାଇର ବେସାଣ୍ଟ ନାଗା ଶ୍ମଶାନରେ ଅଭିନେତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି କୁହାଯାଉଛି । ଏଥିସହ ଅଜିତ କୁମାର ବିଦେଶରେ ଥିବାରୁ ଅଜିତଙ୍କ ଭାଇ ଅନୁପ କୁମାର ତାଙ୍କ ପିତାଙ୍କ ଶେଷକୃତ୍ୟ କରିବେ ବୋଲି ସୂଚନା ମିଳିଛି ।
ଅଜିତ କୁମାର ବିନା କୌଣସି ପୃଷ୍ଠଭୂମିର ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଏବଂ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବୋଶ ଲୋକପ୍ରିୟତା ହାସଲ କରିଛନ୍ତି । 'ଥୁନିଭୁ' ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ ଅଜିତ। ଏହି ଫିଲ୍ମ ଏକ ସୁପରହିଟ୍ ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ତେବେ ଅଜିତ ଅଭିନେତ୍ରୀ ଶାଲିନୀଙ୍କୁ ବିବାହ କରିଥିବା ବେଳେ ଦୁହିଁଙ୍କର ଦୁଇଟି ସନ୍ତାନ ରହିଛି । ଝିଅର ନାମ ଅନୁସ୍କା ରହିଥିବା ବେଳେ ପୁଅ ନାମ ଆଦ୍ୱିକ୍ ରହିଛି ।