କାନ୍ସ (ଫ୍ରାନ୍ସ): ଫ୍ରାନ୍ସରେ ଚାଲିଥିବା ଦୁନିଆର ସବୁଠୁ ବଡ କାନ୍ସ(Cannes) ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ସେଲିବ୍ରିଟି ସେମାନଙ୍କ ଆକର୍ଷଣୀୟ ପୋଷାକରେ କ୍ୟାଟୱାକ କରୁଥିବା ନିଶ୍ଚିୟ ଦେଖିଥିବେ, କିନ୍ତୁ ଶୁକ୍ରବାର ଦିନ ଏହି ଇଭେଣ୍ଟରେ ଏମିତି କିଛି ଘଟିଛି, ଯାହା ପୁଣି ଥରେ ବିଶ୍ୱ ସାମ୍ନାରେ ଏକ ପ୍ରଶ୍ନ ଠିଆ କରିଦେଇଛି । ୟୁକ୍ରେନ୍ରେ ମହିଳାଙ୍କ ପ୍ରତି ଯୌନ ହିଂସା ଘଟଣା ସାମ୍ନାକୁ ଆସୁଛି । ଏହାକୁ ବିରୋଧ କରି ଜଣେ ମହିଳା ଶୁକ୍ରବାର ଦିନ କାନ୍ସ ଫେଷ୍ଟିଭାଲର ଟପଲେସ୍ ହୋଇ ଅଭିନବ ପ୍ରତିବାଦ କରିଛନ୍ତି ।
ଘଟଣା ସମୟରେ ଉପସ୍ଥିତ ଫଟୋଗ୍ରାଫରଙ୍କ ଆଗରେ ପାଟି କରି ମହିଳା ଜଣକ ତାଙ୍କର ସମସ୍ତ ପୋଷାକ କାଢି ଦେଇଥିଲେ। ସିକ୍ୟୁରିଟି ଗାର୍ଡମାନେ ତାଙ୍କ ପାଖକୁ ଦୌଡ଼ି ଆସି ଏକ ଜ୍ୟାକେଟରେ ଢାଙ୍କିଥିବା ଦେଖିବାକୁ ମିଳିଥିଲା । ମହିଳା ବିକ୍ଷୋଭକାରୀ ତାଙ୍କ ଶରୀରରେ ୟୁକ୍ରେନ ପତାକା ଆଙ୍କିଥିଲେ ଏବଂ ଛାତି ଆଉ ପେଟରେ 'ଆମକୁ ଯୌନ ଶୋଷଣ ବନ୍ଦ କରନ୍ତୁ' (stop raping us) ବୋଲି ଲେଖିଥିଲେ । ମହିଳାଙ୍କ ପିଠିର ତଳ ଭାଗ ଏବଂ ଗୋଡରେ ରକ୍ତ ଲାଗିଥିବା ମଧ୍ୟ ଦେଖାଯାଇଥିଲା । ତାଙ୍କ ପିଠିରେ 'SCUM’ ଲେଖାଯାଇଥିଲା।
ଆଉଟଲେଟ୍ ଅନୁଯାୟୀ, ଜର୍ଜ ମିଲରଙ୍କ Three Thousand Years of Longing ର ପ୍ରିମିୟର୍ ରେଡ କାର୍ପେଟରେ ଏହି ଘଟଣା ଘଟିଛି, ଯେଉଁଥିରେ ଇଡ୍ରିସ୍ ଏଲବା ଏବଂ ଟିଲଡା ସ୍ବିଣ୍ଟନ୍ ଅଭିନୟ କରିଥିଲେ । ଏହି ଘଟଣା ସମୟରେ ନିର୍ଦ୍ଦେଶକ ଏବଂ ତାରକାମାନେ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ