ଜୟପୁର: ଆଉ ମାତ୍ର କିଛି ସମୟର ଅପେକ୍ଷା। ହାତକୁ ଦ୍ବି ହାତ ହେବେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ । ଅଗ୍ନିକୁ ସାଖି ରଖି ସାତ ଜନ୍ମର ସାଥି ହେବେ ଉଭୟ । ବିବାହର ଜୋଡା ପିନ୍ଧି ବେଦୀରେ ବସିବେ ବଲିଉଡର ଏହି ଚର୍ଚ୍ଚିତ ଯୋଡି । ରାଜସ୍ଥାନର ଜୈସଲମେରରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ବିବାହ କାର୍ଯ୍ୟକ୍ରମର ଆୟୋଜନ ଆରମ୍ଭ ହୋଇଛି । ସଙ୍ଗୀତ ରସମ ଓ ହଳଦୀ ରସମ ପରେ ଆଜି ପଡିବ ହାତଗଣ୍ଠି । ସୋମବାର ଉଭୟଙ୍କ ବିବାହ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ପରେ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଥିଲା । ମିଡିଆ ରିପୋର୍ଟରକୁ ଉଭୟଙ୍କ ବିବାହ ଆଜି ହେବା ନେଇ କୁହାଯାଉଥିବା ବେଳେ ଉଭୟଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।
ତେବେ ବିବାହ ପୂର୍ବରୁ ସଙ୍ଗୀତ ଓ ହଳଦୀ ରସମ ଶେଷ ହୋଇଛି । ବଲିଉଡର ବହୁ ନାମୀଦାମୀ କଳାକାର ଏଥିରେ ସାମିଲ ହୋଇଥିଲେ । କିଆରା ଓ ସିଦ୍ଧାର୍ଥ ସେରଶାହା ଫିଲ୍ମର ଗୀତରେ ଏଥିରେ ଡ୍ୟାନ୍ସ କରିଥିବା ମଧ୍ୟ କୁହାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫଟୋ ସାମ୍ନାକୁ ଆସି ନାହିଁ । ବୋଧହୁଏ ବିବାହ ସରିବା ପରେ ସମସ୍ତ ରସମର ଫଟୋ ସାମ୍ନାକୁ ଆସିବ । ଗତ ଫେବୃଆରୀ 4 ତାରିଖରେ ବିବାହ ଲାଗି କିଆରା ଆଡଭାନୀ ଓ ସିଦ୍ଧାର୍ଥ ଜୈସଲମେରଠାରେ ପହଞ୍ଚିଥିଲେ । ଏହା ପୂର୍ବରୁ ବିମାନବନ୍ଦରରେ ନଜର ଆସିଥିଲେ କିଆରା ।
ବିବାହ ଭୋଜିରେ ପରସା ଯିବ 10ଟି ଦେଶର 10 ପ୍ରକାର ଖାଦ୍ୟ: ଆଜି କିଆରା ଓ ସିଦ୍ଧାର୍ଥଙ୍କ ବିବାହ ଭୋଜିରେ 10ଟି ଦେଶର 100 ପ୍ରକାରର ଖାଦ୍ୟ ପରସା ଯିବ । ଏହି ମେନୁରେ ଇଟାଲୀ, ଚାଇନିଜ୍, ଆମେରିକୀୟ, ଦକ୍ଷିଣ ଭାରତୀୟ, ମେକ୍ସିକାନ୍, ରାଜସ୍ଥାନୀ, ପଞ୍ଜାବୀ ଏବଂ ଗୁଜୁରାଟୀ ଖାଦ୍ୟ ରହିଛି । ଏଥି ସହିତ ଜୈସଲମେରଲମେରର ଘୋଟଭାନ୍ ଲଡୁ ମଧ୍ୟ ଭୋଜି ମେନୁରେ ରହିଛି । ତେବେ ପଞ୍ଜାବ ଓ ଦିଲ୍ଲୀରୁ ଆସିବାକୁ ଥିବା ଅତିଥିମାନଙ୍କ ପାଇଁ ମସଲାଯୁକ୍ତ ଖାଦ୍ୟ ମେନୁ ରହିଛି । ବିବାହ ଭୋଜିରେ 50ରୁ ଅଧିକ ଷ୍ଟଲ୍ ରହିବ, ଯେଉଁଥିରେ 500 ୱେଟର ଡ୍ରେସ କୋଡରେ ରହିବେ । ପ୍ରତ୍ୟେକ ୱେଟରଙ୍କୁ ପ୍ରତ୍ୟେକ ଅତିଥିଙ୍କ ଯତ୍ନ ନେବା ଦାୟିତ୍ବ ଦିଆଯାଇଛି ।
ଭଉଣୀ ବିବାହରେ ନାଚିବେ କିଆରାଙ୍କ ଭାଇ: କିଆରାଙ୍କ ଭାଇ ମିସାଲ ଆଜି ଭଉଣୀଙ୍କ ବିବାହରେ ନୃତ୍ୟ ପରିବେଷଣ କରିବେ । ସେ ନିଜେ ଜଣେ ରାପର ହୋଇଥିବା ବେଳେ ନିଜର ପ୍ରଥମ ଗୀତ ନେ ମାଇ ନେମରେ ପର୍ଫମ କରିବେ । ସାହିଦ କପୁର ଓ କରଣ ଜୋହର ମଧ୍ୟ ଡ୍ୟାନ୍ସ କରିବା ନେଇ ସୂଚନା ରହିଛି ।
ଜୈସଲମେରରେ ବଲିଉଡ କଳାକାରଙ୍କ ଭିଡ: ସିଦ୍ଧାର୍ଥ ଓ କିଆରା ବିବାହରେ ସାମିଲ ହେବାକୁ ସେଲିବ୍ରିଟି ରାଜସ୍ଥାନର ଜୈସଲମେରରେ ପହଞ୍ଚିଛନ୍ତି । କିଆରାଙ୍କ ପିଲାଦିନ ବନ୍ଧୁ ମୁକେଶ ଅମ୍ବାନୀଙ୍କ ଝିଅ ଇଷା ଆମ୍ବାନୀ ତାଙ୍କ ସ୍ବାମୀଙ୍କ ସହ ଜୈସଲମେରରେ ପହଞ୍ଚି ସାରିଛନ୍ତି । ଏହାପୂର୍ବରୁ ବଲିଉଡ ନିର୍ଦ୍ଦେଶକ କରଣ ଜୋହର ଏବଂ ସାହିଦ କପୁର ତାଙ୍କ ପତ୍ନୀ ମୀରା କପୁର ସମେତ ସେଲିବ୍ରିଟି ପହଞ୍ଚିଛନ୍ତି । ବିବାହରେ ସାମିଲ ହେବାକୁ ଥିବା ଅତିଥିମାନଙ୍କ ଲାଗି ଖାସ୍ ବ୍ୟବସ୍ଥା କରାଯାଇଛି । ଜୈସଲମେରଠାରେ ହେଉଥିବା ଏହି ବିବାହ ଉତ୍ସବରେ ଅନେକ ଅତିଥି ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।