ହାଇଦ୍ରାବାଦ: ଭୁଲ ଭୁଲେୟା ୨ ପରେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଅନସ୍କ୍ରିନ ଯୋଡିକୁ 'ସତ୍ୟପ୍ରେମ କି କଥା' ସହ ବକ୍ସ ଅଫିସରେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି । ଫିଲ୍ମରେ କାର୍ତ୍ତିକ ଏବଂ କିଆରାଙ୍କ ରୋମାନ୍ସ ଦର୍ଶକଙ୍କୁ ପସନ୍ଦ ଆସୁଛି । ଫିଲ୍ମ କ୍ରମଶଃ କମ୍ କଲେକ୍ସନ କରିବା ସତ୍ତ୍ବେ ଏକ ସପ୍ତାହ ମଧ୍ୟରେ 40କୋଟିରୁ ଅଧିକ ଆୟ କରିସାରିଲାଣି । ବର୍ତ୍ତମାନ ଫିଲ୍ମଟି ଖୁବଶୀଘ୍ର ବକ୍ସ ଅଫିସରେ 50 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।
ସୂଚନା ଅନୁସାରେ, କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ 'ସତ୍ୟପ୍ରେମ କି କଥା' ଷଷ୍ଠ ଦିନରେ ମାତ୍ର 4.20 କୋଟି ରୋଜଗାର କରିଛି । ଏହା ସହିତ ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ 46.91 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହା 50କୋଟିରୁ ମାତ୍ର ଅଳ୍ପ ଦୂରରେ ରହିଛି । 60କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ 10ଦିନ ମଧ୍ୟରେ ନିଜ ବଜେଟ ମୂଲ୍ୟ ରୋଜଗାର କରିନେବା ନେଇ ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: କମିଲା କାର୍ତ୍ତିକ-କିଆରାଙ୍କ କ୍ରେଜ, 5ମ ଦିନରେ ହ୍ରାସ ପାଇଲା ଆୟ
ରିଲିଜ୍ ପରଠୁ ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମ ପ୍ରଥମ ଦିନରେ 9.25 କୋଟିର ଓପନିଂ ପରେ ଦ୍ୱିତୀୟ ଦିନରେ 7 କୋଟି ରୋଜଗାର କରିଥିଲା । ତୃତୀୟ ଦିନରେ ଏହି ଫିଲ୍ମ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଅର୍ଥାତ 10.1 କୋଟି ଆୟ କରିଥିଲା । ଏହା ପରେ, ଚତୁର୍ଥ ଦିନରେ 12.15 କୋଟି ବମ୍ପର କଲେକ୍ସନ ପରେ, ପଞ୍ଚମ ଦିନରେ ଫିଲ୍ମ ମାତ୍ର 4.21 କୋଟି ରୋଜଗାର କରିଥିଲା । ଦିନକୁ ଦିନ ଫିଲ୍ମର ଆୟ କମିଥିଲେ ବି ଫିଲ୍ମ 40କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିବାରେ ସଫଳ ହୋଇଛି ।
ସୂଚନା ଥାଉ କି, ସତ୍ୟପ୍ରେମ କି କଥାର ରିଲିଜ ହେବା ପୂର୍ବରୁ କାର୍ତ୍ତିକ ଏବଂ କ୍ରିତି ସାନନଙ୍କ ଫିଲ୍ମ ଶେହଜାଦା ବକ୍ସ ଅଫିସରେ ଫ୍ଲପ ହୋଇଥିଲା । କିନ୍ତୁ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ଭୁଲ୍ ଭୁଲେୟା-2 ଭଲ ଆୟ କରି ହିଟ୍ ହୋଇଥିଲା । ତେବେ କାର୍ତ୍ତିକଙ୍କ ପାଇଁ ସତ୍ୟପ୍ରେମ କି କଥା ଚଳିତବର୍ଷର 2ୟ ଫିଲ୍ମ ହୋଇଥିବା ବେଳେ କିଆରାଙ୍କ ପାଇଁ ଏହା ଚଳିତବର୍ଷର ପ୍ରଥମ ଫିଲ୍ମ ଅଟେ । ଏହିପରି ସଫଳତା ଦେଖି କାର୍ତ୍ତିକ-କିଆରାର ଏହି ଫିଲ୍ମ 'ଭୁଲ-ଭୁଲେୟା ୨' ପରେ ଉଭୟଙ୍କର ଦ୍ୱିତୀୟ ହିଟ୍ ଫିଲ୍ମ ହେବ ବୋଲି କୁହାଯାଇପାରିବ ।