ହାଇଦ୍ରାବାଦ: ମିସ୍ ୟୁନିଭର୍ସ ୨୦୨୩ ଟାଇଟଲ ହାତେଇଲେ ନିକାରାଗୁଆର ଶେନିସ୍ ପାଲାସିଓସ୍ । ସମଗ୍ର ବିଶ୍ୱର ସୁନ୍ଦରୀମାନଙ୍କୁ ପଛରେ ପକାଇ ଶେନିସ ମିସ୍ ୟୁନିଭର୍ସ ବିଜେତା ହୋଇଛନ୍ତି । ଏହି ସଫଳତା ପରେ ସେ ବହୁତ ଖୁସି ଅଛନ୍ତି । ମିସ୍ ୟୁନିଭର୍ସ 2022 ଆମେରିକାର ଆର ବନି ଗାବ୍ରିଏଲ ଶେନିସଙ୍କୁ ମୁକୁଟ ପିନ୍ଧାଇଥିଲେ ।
ଫାଇନାଲରେ ଥାଇଲ୍ୟାଣ୍ଡର ଆଣ୍ଟୋନିଆ ପୋର୍ସିଲ୍ଡ , ଅଷ୍ଟ୍ରେଲିଆର ମୋରେୟା ୱିଲସନ ଏବଂ ନିକାରାଗୁଆର ଶେନିସ୍ ପାଲାସିଓସ୍ ପହଞ୍ଚିଥିଲେ । ଏହି ସମୟରେ ଶେନିସ୍ ପାଲାସିଓସ୍ ଦମଦାର ପ୍ରଦର୍ଶନ କରି ମିସ ୟୁନିଭର୍ସ ଟାଇଟଲ ନିଜ ନାଁରେ କରି ସଫଳତା ହାସଲ କରିଛନ୍ତି । ସେପଟେ ଅଷ୍ଟ୍ରେଲିଆର ମୋରେୟା ୱିଲସନ ଦ୍ୱିତୀୟ ରନର୍ସ ଅପ୍ ହୋଇଥିବାବେଳେ ଥାଇଲ୍ୟାଣ୍ଡର ଆଣ୍ଟୋନିଆ ପୋର୍ସିଲ୍ଡ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ।
୭୨ତମ ମିସ ୟୁନିଭର୍ସ ଫାଇନାଲ ପ୍ରତିଯୋଗିତା ଏଲ ସାଲ୍ବାଡୋରର ରାଜଧାନୀ ସେନ ସାଲ୍ବାଡୋରର ଜୋସେ ଏଡଲଫୋ ପିନେଡା ଏରିନାରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ସମୟ ଅନୁସାରେ ଏହି ଫାଇନାଲ ପ୍ରତିଯୋଗିତା ଆଜି ଅର୍ଥାତ୍ ନଭେମ୍ବର ୧୯ ତାରିଖ ସକାଳ ସାଢେ ୬ଟା ସମୟରେ ହୋଇଥିଲା । ତେବେ ମିସ୍ ୟୁନିଭର୍ସ ଜିତିବାରେ ନିକାରାଗୁଆର ପ୍ରଥମ ମହିଳା ଭାବେ ଶେନିସ୍ ପାଲାସିଓସ୍ ଏହି ସଫଳତା ହାସଲ କରିଛନ୍ତି । ମୁକୁଟ ପିନ୍ଧିବା ପରେ ଶାନିସ୍ ପାଲାସିଓସ୍ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । ତାଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା । ତେଣୁ 'ବିୟୁଟି କୁଇନ୍' ଟାଇଟଲ୍ ଜିତିବା ତାଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଥିଲା ।
ସୂଚନା ଅନୁସାରେ, ୯୦ଟି ଦେଶର ପ୍ରତିଯୋଗୀ ମିସ ୟୁନିଭର୍ସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଭାରତ ପକ୍ଷରୁ ମିସ୍ ଡିଭା ୟୁନିଭର୍ସ ୨୦୨୩ର ବିଜେତା ଶ୍ବେତା ଶାରଦା ପ୍ରତିନିଧିତ୍ବ କରିଥିଲେ । ଏବଂ ପାକିସ୍ତାନ ପକ୍ଷରୁ ମିସ୍ ଦିଭା ୟୁନିଭର୍ସ ଏରିକା ରୋବିନ ପ୍ରତିନିଧିତ୍ବ କରିଥିଲେ । ହେଲେ ଉଭୟ ଟପ୍ ୧୦ରେ କ୍ବାଲିଫାଇ କରିବାରେ ଅସଫଳ ରହିଥିଲେ । ଟପ ୨୦ ମଧ୍ୟରେ ରହି ନିଜ ନିଜ ଦେଶକୁ ଗୌରବାନ୍ବିତ କରିଥିଲେ ଶ୍ବେତା ଏବଂ ଏରିକା ।
ଏହା ମଧ୍ୟ ପଢନ୍ତୁ: ସାମିଲ ହେବେ ୯୦ ଟି ଦେଶର ପ୍ରତିଯୋଗୀ, ଭାରତ ପକ୍ଷରୁ ପ୍ରିତିନିଧିତ୍ବ କରିବେ ଏହି ମଡେଲ
ଶେନିସ୍ 2000 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ଗଣଯୋଗାଯୋଗରେ ଡିଗ୍ରୀ ହାସଲ କରିଥିଲେ । ସେ ଜଣେ କ୍ରୀଡା ଉତ୍ସାହୀ ଏବଂ ତାଙ୍କ ବିଶ୍ୱବିଦ୍ୟାଳୟ ପାଇଁ ୟୁନିଭର୍ସିଟି ସ୍ତରୀୟ ଭଲିବଲ୍ ଖେଳିଛନ୍ତି । ସେ ୨୦୧୬ରେ ବିୟୁଟି କଣ୍ଟେଷ୍ଟରେ ଡେବ୍ୟୁ କରି ମିସ୍ ଟିନ୍ ନିକାରାଗୁଆ ୨୦୧୬ ଟାଇଟଲ୍ ଜିତିଥିଲେ । ସେ ମିସ୍ ୱାର୍ଲ୍ଡ ନିକାରାଗୁଆ ୨୦୨୦ ମଧ୍ୟ ଜିତିଛନ୍ତି ଏବଂ ୨୦୨୨ ମସିହାରେ ପୁଏର୍ତୋ ରିକୋର ସନ ଜୁଆନରେ ଆୟୋଜିତ ହୋଇଥିବା ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତାରେ ନିଜ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ । ସେ ଶ୍ରେଷ୍ଠ ୪୦ ଫାଇନାଲିଷ୍ଟର ଅଂଶ ହୋଇଥିଲେ । ଦିଭା ଜଣେ ଇନଷ୍ଟାଗ୍ରାମ ଏବଂ ଟିକଟକ୍ ୟୁଜର । ଇନଷ୍ଟାଗ୍ରାମରେ ତାଙ୍କର ୫ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି ।