ହାଇଦ୍ରାବାଦ: ଅଡୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପ୍ରସ୍ତୁତ କରୁଥିବା ନିର୍ମାତା । ନିର୍ମାତା ମନୀଷ ଆଚାର୍ଯ୍ୟ ସହଯୋଗୀ ନିର୍ମାତାଙ୍କ ବିରୋଧରେ ୧୪ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ କରିଛନ୍ତି । ମନୀଷ ତାଙ୍କ ସହଯୋଗୀ ନିର୍ମାତା ଆନନ୍ଦ ପଣ୍ଡିତ ଏବଂ ସନ୍ଦୀପ ସିଂଙ୍କ ନାଁରେ ଏହି ଅଭିଯୋଗ କରିଛନ୍ତି । ସେ ଏନେଇ ଥାନାର ଦ୍ବାରସ୍ଥ ହୋଇ ଉଭୟଙ୍କ ନାଁରେ ଏତଲା ଦେଇଛନ୍ତି ।
ସୂଚନା ଅନୁସାରେ, ୨୦୧୯ରେ ମୁକ୍ତିଲାଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ 'ପିଏମ ନରେନ୍ଦ୍ର ମୋଦି' ଫିଲ୍ମରେ ଜଣେ ନୁହଁ ୩ଜଣ ନିର୍ମାତା ଏଥିରେ ଟଙ୍କା ବିନିଯୋଗ କରିଥିଲେ । ମନୀଷ ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁଯାୟୀ, ଆନନ୍ଦ ପଣ୍ଡିତ ଏବଂ ସନ୍ଦୀପ ସିଂହ ତାଙ୍କୁ ୧୪ କୋଟି ଟଙ୍କାର ଚୁନା ଲଗାଇଛନ୍ତି । ସେ ଅଭିଯୋଗରେ କହିଛନ୍ତି ଯେ, ୨୦୧୯ରେ 'ପିଏମ ନରେନ୍ଦ୍ର ମୋଦି' ଫିଲ୍ମରେ ଟଙ୍କା ବିନିଯୋଗ କରିବାକୁ ସନ୍ଦୀପ ସିଂ ଏବଂ ଆନନ୍ଦ ପଣ୍ଡିତ ତାଙ୍କ ସହ ଯୋଗାଯାଗ କରିଥିଲେ । ଏଥିସହ ସେ ଏହା ବି ଦାବି କରିଥିଲେ ଯେ, ଫିଲ୍ମ ରିଲିଜ ପରେ ବନିଯୋଗ କରିଥିବା ଟଙ୍କାର ପ୍ରଥମ କିସ୍ତି ସେ ପାଇଯିବେ । ଏହି ଆଶ୍ବସନା ଦେଇ ଉଭୟ ମନୀଷଙ୍କ ଠାରୁ ୧୪ କୋଟିର ଲୋନ ନେଇଥିଲେ । ହେଲେ ପରେ ସେ ଏହାକୁ ଦେଇନଥିବା କହିଛନ୍ତି ମନୀଷ ।
ଏଥିସହ ମନୀଷ ଏହା ମଧ୍ୟ କହିଛନ୍ତି ଯେ, ଫିଲ୍ମଟି ରିଲିଜ ପରେ ୩୨ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା । ଏହା ପରେ ବି ଆନନ୍ଦ ପଣ୍ଡିତ ତାଙ୍କ ଦେୟ ଦେବାକୁ ମନା କରିଦେଇଥିଲେ । ଏହା ସହ ଆନନ୍ଦ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ଧମକ ଦେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ମନୀଷ ମୁମ୍ବାଇର ମାହୋଲି ଥାନାରେ ଉଭୟ ସହଯୋଗୀ ନିର୍ମାତାଙ୍କ ବିରୋଧରେ ଠକେଇ ଅଭିଯୋଗ କରି ମାମଲା ରୁଜୁ କରିଛନ୍ତି । ସେ ପୋଲିସ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଆନନ୍ଦ ପଣ୍ଡିତ ତାଙ୍କୁ ମିଥ୍ୟା ଆଶ୍ବସନା ଦେଇ ଫିଲ୍ମରେ ବିପୁଳ ପରିମାଣର ଟଙ୍କା ବିନିଯୋଗ କରିବାକୁ ପ୍ରୋତ୍ସାହିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ବିବାଦ ପରେ ଓଟିଟି ପ୍ଲାଟଫର୍ମରୁ ହଟିଲା ନୟନତାରାଙ୍କ ଫିଲ୍ମ 'ଅନ୍ନପୁରାନୀ'
'ପିଏମ ନରେନ୍ଦ୍ର ମୋଦି' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ୨୦୧୯ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ବଲିଉଡ ଅଭିନେତା ବିବେକ ଅବରୋଏ ପିଏମ ମୋଦିଙ୍କ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା ।