ହାଇଦ୍ରାବାଦ: ବଲିଉଡ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଜଣେ କୋ-ଡାନ୍ସରଙ୍କ ସହ ଯୌନ ନିର୍ଯାତନା ଏବଂ ତାଙ୍କୁ ପିଛା କରିବା ଅଭିଯୋଗରେ ମୁମ୍ବାଇ ପୋଲିସ କୋରିଓଗ୍ରାଫରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏନେଇ ଗୁରୁବାର ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଏହି ମାମଲା 2020 ର ଅଟେ ଏବଂ ନିକଟରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ କୋରିଓଗ୍ରାଫରଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଛି ।
ମହିଳା ଡ୍ୟାନ୍ସର ଆଣିଲେ ଅଭିଯୋଗ
ମହିଳା ଡାନ୍ସରଙ୍କ ମୁତାବକ, 2020ରେ ଯେତେବେଳେ ସେ ଏକ ଷ୍ଟେଜ ଶୋ’ରେ ଗଣେଶ ଆଚାର୍ଯ୍ୟଙ୍କ କାମକୁ ବିରୋଧ କରିଥିଲେ, ସେତେବେଳେ କୋରିଓଗ୍ରାଫର ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏଥିସହିତ କୋରିଓଗ୍ରାଫର କୋ-ଡ୍ୟାନ୍ସରଙ୍କ ସହ ମଧ୍ୟ ମାରପିଟ କରିଥିଲେ। କୋ-ଡ୍ୟାନ୍ସର କହିଛନ୍ତି, 'ଜଣେ ମହିଳା ଆସିଷ୍ଟାଣ୍ଟ ମୋତେ ଦୁର୍ବ୍ୟବହାର କରିଥିଲେ ଏବଂ ମୋତେ ବଦନାମ କରିବା ସହିତ ମାଡ ମାରିଥିଲେ । ମୁଁ ଉଭୟଙ୍କ ନାଁରେ ଅଭିଯୋଗ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲି, କିନ୍ତୁ ପୋଲିସ ଅଭିଯୋଗ ପଞ୍ଜିକରଣ କରିବାକୁ ମନା କରିଦେଇଥିଲା, ମୁଁ ଜଣେ ଓକିଲଙ୍କ ସାହାଯ୍ୟରେ ଏହି ଅଭିଯୋଗ ଦାଖଲ କରିଥିଲି’ ।
ହେଲେ ଗଣେଶ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଗଣେଶଙ୍କ ବିରୋଧରେ ପୂର୍ବରୁ ତାଙ୍କର କିଛି ସହକର୍ମୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣଇଥିଲେ । ଯାହାକୁ ସେ ଅସ୍ୱୀକାର କରିଥିଲେ। ଗଣେଶ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଧାରା ୩୫୪-ଏ, ୩୫୪-ସି, ୩୫୪-ଡି, ୫୦୯, ୩୨୩, ୫୦୪,୫୦୬ ଏବଂ ୩୪ ଅଧିନରେ ଚାର୍ଜସିଟ ଦାଖଲ ହୋଇଛି ।
ଗଣେଶ ଆଚାର୍ଯ୍ୟ ଭାରତୀୟ ସିନେମାର ଜଣେ ଜଣାଶୁଣା କୋରିଓଗ୍ରାଫର । ନିକଟରେ ସେ ସୁପରହିଟ୍ ଗୀତ 'ଓ ଅଣ୍ଟାୱା'ର କୋରିଓଗ୍ରାଫି କରିଥିଲେ। ଏହା ପରେ ସେ ଅକ୍ଷୟ କୁମାରଙ୍କ ଅଭିନୀତ 'ବଚ୍ଚନ ପାଣ୍ଡେ'ର ଟାଇଟଲ୍ ଗୀତ'ର କୋରିଓଗ୍ରାଫି ମଧ୍ୟ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ