ହାଇଦ୍ରାବାଦ: ଏଣ୍ଚରଟେନ୍ମେଣ୍ଟ୍ ଇଣ୍ଡଷ୍ଟ୍ରିରେ ଖସି ପଡିଛି ଦୁଃଖର ବାଦଲ । ଦିନକୁ ଦିନକୁ ଗୋଟିଏ ଗୋଟିଏ କଳାକାରଙ୍କ ବିୟୋଗର ଖବର ଶୁଣିବାକୁ ମିଳୁଛି । ଚଳିତ ମାସରେ ଲଗାତାର କଳାକାରଙ୍କ ଆକସ୍ମିକ ମୃତ୍ୟୁର ଖବର ସମସ୍ତଙ୍କୁ ଚକିତ କରୁଛି । କଳାକାରଙ୍କ ଦେହାନ୍ତରେ ଗତ 5 ଦିନ ମଧ୍ୟରେ ହଲିଉଡଠାରୁ ଆରମ୍ଭ କରି ବଲିଉଡ ଏବଂ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି । ସେପଟେ ନିଜ ପ୍ରିୟ କଳାକାର, ସାଙ୍ଗକୁ ହରାଇଥିବା ନେଇ ଫ୍ୟାନ୍ସ, ପରିବାର, ସାଙ୍ଗ କେହି ଗ୍ରହଣ କରିପାରୁନାହାନ୍ତି । ଟଲିଉଡ ଜଗତରେ ବର୍ଷିୟାନ ଅଭିନେତା ଶରତ ବାବୁ, ଟେଲି ଅଭିନେତା ଆଦିତ୍ୟ ସିଂ ରାଜପୁତ, ଅଭିନେତା ନୀତେଶ ପାଣ୍ଡେ, ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ ଏବଂ ହଲିଉଡ ଗାୟକ ଟିନା ଟର୍ନର, ଅଭିନେତା ରେ' ଷ୍ଚିଭେନସନଙ୍କ ଦେହାନ୍ତ ହୋଇଛି ।
ଟିନା ଟର୍ନର: ଲୋକପ୍ରିୟ ଗୀତ 'ରକ୍ ଇନ ରୋଲ୍' ଫେମ ଗାୟକ ଟିନା ଟର୍ନରଙ୍କ ଚଳିତ ମାସରେ ମୃତ୍ୟୁ ହୋଇଛି । ମେ' 24ରେ 83 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ସେ ପୂର୍ବରୁ କୋଲୋନ୍ କର୍କଟ ଏବଂ ଷ୍ଟ୍ରୋକ୍ ଭଳି ଗୁରୁତର ରୋଗର ମଧ୍ୟ ସମ୍ମୁଖୀନ ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ସ୍ୱିଜରଲ୍ୟାଣ୍ଡର ଜୁରିଚ୍ ନିକଟ କୁସନାଚରେ ତାଙ୍କ ଘରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ।ଟିନା ଟର୍ନର ଜଣେ ଗାୟକ, ଗୀତିକାର, ନୃତ୍ୟଶିଳ୍ପୀ, ଅଭିନେତ୍ରୀ ଏବଂ ଲେଖକ ଥିଲେ । 1957 ମସିହାରେ ଆଇକେ ଟର୍ନର କିଙ୍ଗ୍ସ ଅଫ୍ ରିଥମ୍ ସହ ଟର୍ନର ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଅନେକ ହିଟ୍ ଗୀତ ଦେଇ ସାରା ବିଶ୍ୱରେ ଲୋକଙ୍କ ମନୋରଞ୍ଜନ କରିଥିଲେ । ସେ ତାଙ୍କ ସିଙ୍ଗିଂ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇଛନ୍ତି, ଯେଉଁଥିରେ 'Whats love got to do with it be' ଅନ୍ୟତମ । ତାଙ୍କ ବିୟୋଗରେ ବିଶ୍ୱ ଜଣେ ମହାନ ସଂଗୀତକାରଙ୍କୁ ହରାଇଛି । ତେବେ ତାଙ୍କ ବିୟୋଗରେ ତାଙ୍କ ସାଙ୍ଗସାଥୀ, ସମ୍ପର୍କୀୟ, ଫ୍ୟାନ୍ସ ଏବଂ ଅନେକ କଳାକାର ଶୋକ ପ୍ରକାଶ କରିଥିଲେ । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ' ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳ ଜଣାଇଛନ୍ତି ।
ରେ' ଷ୍ଚିଭେନସନ: ଆଜି ସ୍ବର୍ଗତ ହଲିଉଡ ଅଭିନେତା ରେ ଷ୍ଚିଭେନସନଙ୍କ ଜନ୍ମଦିନ। 59ତମ ଜନ୍ମଦିନର 4 ଦିନ ପୂର୍ବରୁ ଦୁନିଆକୁ ଅଲବିଦା କହିଛନ୍ତି ଏସଏସ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ RRRରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ରେ' ଷ୍ଟିଭେନସନ । ମୃତ୍ୟବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ମେ' 21ରେ ଇଟାଲୀର ଆନ୍ନା ରିଜୋଲି ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ RRR ଫିଲ୍ମ ବ୍ୟତୀତ ସେ ମାର୍ବଲ ଫିଲ୍ମ 'ଥର୍'ରେ ବି କାମ କରିଥିଲେ । ୧୯୯୦ ମସିହାରେ ଷ୍ଟିଭେନ୍ସନ୍ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୮ରେ ଫିଲ୍ମ ‘ଦ ଥିଓରୀ ଅଫ ଫ୍ଲାଇଟ୍’ ତାଙ୍କୁ ହଲିଉଡରେ ନୂତନ ପରିଚୟ ଦେଇଥିଲା । ଏହାପରେ ସେ ୨୦୦୪ରେ 'କିଙ୍ଗ ଆର୍ଥର', ପନିଶର: ଓ୍ବାର ଜୋନ(2008), 'ଦ ବୁକ୍ ଅଫ ଏଲି(୨୦୧୦) ଏବଂ 'ଦ ଅଦର ଗାୟ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ସେ 50ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଲୋକପ୍ରିୟତା ହାସଲ କରିଥିଲେ ।
ଶରତ ବାବୁ: ମେ' 22ରେ ଟଲିଉଡ ବର୍ଷିୟାନ ଅଭିନେତା ଶରତ ବାବୁଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା । ଚଳିତ ମାସ ଆରମ୍ଭରୁ ହିଁ ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା, ଏହାପରେ ସେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର AIG ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ସେ ତାମିଲ ଏବଂ ତେଲୁଗୁ ସିନେମା ବ୍ୟତୀତ ହିନ୍ଦୀ, କନ୍ନଡ, ମାଲାୟାଲମ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ 200ରୁ ଅଧିକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ।
ଆଦିତ୍ୟ ସିଂ ରାଜପୁତ: ମେ' 22ରେ ଶରତଙ୍କ ମୃତ୍ୟୁ ଖବର ପରେ ଟେଲି ଜଗତରୁ ଆସିଲା ଦୁଃଖଦ ଖବର। ମୁମ୍ବାଇର ଅନ୍ଧେରିରେ ଅବସ୍ଥିତ ତାଙ୍କ ଆପାର୍ଟମେଣ୍ଟର ୱାଶରୁମରେ ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ ମିଳିଥିଲା । ମୃତ୍ୟୁବେଳକୁ ଆଦିତ୍ୟଙ୍କୁ ମାତ୍ର 32 ବର୍ଷ ବୟସ ହୋଇଥିଲା । ଆଦିତ୍ୟ ସିଂ ରାଜପୁତ ଜଣେ ଲୋକପ୍ରିୟ ମଡେଲ ଏବଂ ଅଭିନେତା ଥିଲେ । ସେ ଅନେକ ବର୍ଷ ଧରି ଟିଭି ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ। ସେ ଟେଲିଭିଜନ ସିରିଏଲ ରାଜପୁତାନା, ଲଭ୍, ଆଶିକ୍କି, କୋଡ୍ ରେଡ୍, ଆୱାଜ୍ ଏବଂ ସ୍ପ୍ଲିଟଭିଲ୍ଲାର ସିଜନ -9 ଏବଂ ଗନ୍ଦିବାତରେ ଅଭିନୟ କରିଛନ୍ତି । ଗନ୍ଦିବାତ ଏବଂ ସ୍ପ୍ଲିଟଭିଲ୍ଲା ଏହି ଦୁଇଟି ସିରିଏଲ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଅନ୍ୟପକ୍ଷରେ, ସେ ଫିଲ୍ମ ମମ ଆଣ୍ଡ ଡାଡ, ଲଭର୍ସ ଭଳି ଫିଲ୍ମରେ କାମ କରିଛନ୍ତି । ଏଥିସହିତ ଆଦିତ୍ୟ କାଷ୍ଟିଂ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ବୈଭବୀ ଉପାଧ୍ୟାୟ: ମେ 24ରେ ପୁଣି ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଆସିଥିଲା ଆଉ ଏକ ଦୁଃଖଦ ଖବର । ଆଦିତ୍ୟ ସିଂ ରାଜପୁତଙ୍କ ମୃତ୍ୟୁ ଖବର ମନରୁ ନ ଲିଭୁଣୁ ଏବେ ଲୋକପ୍ରିୟ ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର 32 ବର୍ଷ ବୟସ ହୋଇଥିଲା । ଅଭିନେତ୍ରୀ ତାଙ୍କ ଭାବିସ୍ବାମୀଙ୍କ ସହ ଏକ କାରରେ ଯାତ୍ରା କରୁଥିବାବେଳେ ହିମାଚଳ ପ୍ରଦେଶର କୁଲ୍ଲୁଠାରେ ତାଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁହେଁ ସାଙ୍ଗ ହୋଇ କାରରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇବାରୁ କାରଟି ଖାଈ ଭିତରକୁ ଖସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବୈଭବୀଙ୍କ ମୃତ୍ୟୁ ହୋଇଛି । ସେ 'ସାରାଭାଇ ଭର୍ସେସ ସାରାଭାଇ' ଶୋ'ରେ ଜାସ୍ମିନ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ନିକଟରେ ତାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଖୁବଶୀଘ୍ର ତାଙ୍କର ବିବାହ ମଧ୍ୟ ହୋଇଥାଆନ୍ତା । ହେଲେ ଏଭଳି ଆକସ୍ମିକ ମୃତ୍ୟୁରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ନୀତେଶ ପାଣ୍ଡେ: ପ୍ରଥମେ ଆଦିତ୍ୟ ପରେ ମେ 24 ଗୋଟିଏ ଦିନରେ ବୈଭବୀଙ୍କ ମୃତ୍ୟୁ ଖବରର କିଛି ଘଣ୍ଟା ପରେ ପୁଣି ଜଣାଶୁଣା ଟିଭି ଅଭିନେତା ନୀତେଶ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । ମେ ୨୩ ତାରିଖ ଅପରାହ୍ନ ୨ଟାରେ ନାଶିକ ନିକଟସ୍ଥ ଇଗତପୁରୀରେ ନୀତେଶଙ୍କର ହୃଦ୍ଘାତରେ ଦେହାନ୍ତ ହୋଇଛି । ସେ ସୁଟିଂ ପାଇଁ ଏଠାକୁ ଆସିଥିଲେ। ମୃତ୍ୟୁବେଳକୁ ତାଙ୍କୁ 51 ବର୍ଷ ବୟସ ହୋଇଥିଲା । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ରୂପାଲି ଗାଙ୍ଗୁଲିଙ୍କ ଲୋକପ୍ରିୟ ଟିଭି ସିରିଏଲ 'ଅନୁପମା' ଏବଂ 'ପ୍ୟାର କା ଦର୍ଦ ହେ ମିଠା-ମିଠା ପ୍ୟାରା-ପ୍ୟାରା'ରେ ଦେଖିବାକୁ ମିଳିଥିଲା । ଏହି ଲୋକପ୍ରିୟ ଟିଭି ସିରିଏଲରେ ନୀତେଶ 'ଧୀରଜ କପୁର'ଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଏହି ଅଭିନେତା ଟିଭି ଜଗତରେ 25 ବର୍ଷ କାମ କରିଥିଲେ । ଏଥିସହ ସେ ଅନେକ ବଲିଉଡ ସିନେମାରେ ମଧ୍ୟ କାମ କରିଛନ୍ତି। ନୀତୀଶ ପାଣ୍ଡେ ଦବଙ୍ଗ-2, 'ଖୋସଲା କା ଘୋସଲା', 'ଓମ୍ ଶାନ୍ତି ଓମ୍' ଏବଂ 'ଚେନ୍ନାଇ ଏକ୍ସପ୍ରେସ'ରେ ଶାହାରୁଖ ଖାନଙ୍କ 2ଟି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ । ତାଙ୍କ ବିୟୋଗ ଖବର ଶୁଣି ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ସୁଚନ୍ଦ୍ରା ଦାସଗୁପ୍ତା: ସେହିପରି ବଙ୍ଗୀୟ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବଙ୍ଗୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା ଆରପାରିକୁ ଚାଲି ଯାଇଛନ୍ତି । ମେ 21ରେ ସୁଚନ୍ଦ୍ରାଙ୍କ ସୁଟିଂ ସାରି ଫେରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 29ବର୍ଷ ହୋଇଥିଲା ।