ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେରଙ୍କୁ ଖୁବ ଶୀଘ୍ର ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । କଙ୍ଗନା ରଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' (Emergency)ରେ ଦମଦାର ଅଭିନୟ କରିଛନ୍ତି ଅନୁପମ ଖେର । ସେ ଏହି ଚଳଚ୍ଚିତ୍ରରେ କ୍ରାନ୍ତିକାରୀ ନେତା 'ଜେପି ନାରାୟଣ'ଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରୁ ଅନୁପମ ଖେରଙ୍କ ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି ।
କଙ୍ଗନା ଏହି ଚଳଚ୍ଚିତ୍ରରୁ ଜୟପ୍ରକାଶ ନାରାୟଣ ଲୁକ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି- ''ଅନ୍ଧକାର ଅଛି ତ ଆଲୋକ ଅଛି, ଇନ୍ଦିରା ଅଛି, ଜୟପ୍ରକାଶ ଅଛନ୍ତି …।'' କଙ୍ଗନାଙ୍କ ଏହି ପୋଷ୍ଟ ଉପରେ ଅନୁପମ ଖେର ଲେଖିଛନ୍ତି, ମୋତେ ଜୟପ୍ରକାଶ ନାରାୟଣଙ୍କ ଭୂମିକା ମିଳିଥିବାରୁ ବହୁତ ଧନ୍ୟବାଦ । ଏଥିସହିତ ଅନୁପମ ଖେର ନିଜ ଲୁକକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି 'ଏମରଜେନ୍ସି’ରେ ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଅଭିନୟ କରି ବହୁତ ଖୁସି । ମୁଁ ନିଜ ପାଇଁ ଗର୍ବିତ ଅନୁଭବ କରୁଛି । ଏହା ମୋର ୫୨୭ତମ ଚଳଚ୍ଚିତ୍ର ! ଜୟ ହୋ!''
କଙ୍ଗନା ଏହି ଚଳଚ୍ଚିତ୍ର ଲେଖିଥିବାବେଳେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଚଳଚ୍ଚିତ୍ରରେ ରାଜନୈତିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ କାହାଣୀ ଆକାରରେ ଚିତ୍ରଣ କରାଯାଇଛି । ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଅନୁପମ ଖେରଙ୍କ ବିଷୟରେ କଙ୍ଗନା କହିଛନ୍ତି ଯେ, ସେ ଏକ ମହାନ ତଥା ଅଭିଜ୍ଞ କଳାକାରଙ୍କୁ ପାଇ ନିଜକୁ ବହୁତ ଗୌରବାନ୍ୱିତ ମନେ କରୁଛନ୍ତି । କଙ୍ଗନା କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଟିଜର ରିଲିଜ କରିଥିଲେ ।
ଭାରତୀୟ ଇତିହାସରେ ମହାତ୍ମା ଗାନ୍ଧୀଙ୍କ ପରେ 'ଜେପି ନାରାୟଣ' ରାଜନୀତିରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ବିବେଚନା କରାଯାଏ । ଲୋକଙ୍କ ଉପରେ ତାଙ୍କର ଯେଉଁ ପ୍ରଭାବ ପଡିଥିଲା ତାହା ବହୁତ ବଡ ଥିଲା । ଅନୁପମ ଖେରଙ୍କ ଚରିତ୍ର ବିଷୟରେ କଙ୍ଗନା କହିଛନ୍ତି ଯେ ''ମୁଁ ଏମିତି ଜଣେ ଅଭିନେତା ଚାହୁଁଥିଲି, ଯାହା ପାଖରେ କ୍ରାନ୍ତିକାରୀ ନେତା ଜେପି ନାରାୟଣଙ୍କ ଜୀବନର ବଡ଼ ବ୍ୟକ୍ତିତ୍ୱ ସହିତ ମେଳ ଖାଉଥିବା ବ୍ୟକ୍ତିତ୍ୱ ଏବଂ କ୍ଷମତା ଥିବ । ଅନୁପମ ଜୀ ତାଙ୍କର ସ୍ଥିତି, ଅଭିନୟ ଦକ୍ଷତା ଏବଂ ବ୍ୟକ୍ତିତ୍ୱ ସହିତ ସେ ସେହି ଭୂମିକା ପାଇଁ ସଂପୂର୍ଣ୍ଣ ଫିଟ୍ ।"