କୋଲକାତା: ଇଡି ସ୍କାନରେ ଛନ୍ଦି ହେଲେ ସୁନ୍ଦରୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ଅଭିନେତ୍ରୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି । ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଜୋରଦାର ଛାନଭିନ କରୁଛି ଇଡି । ଏହି ଦୁର୍ନୀତିରେ ଅର୍ପିତା ସାମିଲ ଥିବା ସନ୍ଦେହ କରିଛି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ଅନେକ ଓଡ଼ିଆ ସିନେମାରେ କମାଲ ଦେଖାଇଥିବା ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ରାଜନୈତିକ ଲିଙ୍କ ଏବେ ଚର୍ଚ୍ଚା ପରିଧିକୁ ଆସିଛି ।
କିଏ ଅର୍ପିତା ମୁଖାର୍ଜୀ ?
ଅର୍ପିତା ମୁଖାର୍ଜୀ ଜଣେ ଓଡ଼ିଆ, ବଙ୍ଗଳା ଏବଂ ଦକ୍ଷିଣ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଅର୍ପିତା ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଛନ୍ତି । ବେଙ୍ଗଲର କିଛି ସିରିୟଲରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅର୍ପିତା ଓଡ଼ିଆ ଇଣ୍ଡଷ୍ଟ୍ରିରେ ମଧ୍ୟ କମାଲ ଦେଖାଇସାରିଛନ୍ତି । ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି, ସବ୍ୟସାଚ୍ଚୀ ମିଶ୍ର, ବୃଦ୍ଧାଦିତ୍ୟ ମହାନ୍ତି ଓ ଆକାଶ ଦାସନାୟକଙ୍କ ଭଳି ଅଭିନେତାଙ୍କ ସହ ସେ ଫିଲ୍ମ କରିଛନ୍ତି ।
ଅନୁଭବଙ୍କ ସହ ‘ମୁଁ କ’ଣ ଏତେ ଖରାପ’, ସବ୍ୟସାଚ୍ଚୀଙ୍କ ସହ ‘ତୋର ମୋର ଯୋଡ଼ି ସୁନ୍ଦର’, ବୃଦ୍ଧାଦିତ୍ୟଙ୍କ ସହ ପ୍ରେମ ରୋଗୀ ଓ ଆକାଶଙ୍କ ସହ ରାଜୁ ଆୱାର ଫିଲ୍ମରେ ସେ ନଜର ଆସିଥିଲେ । ବଙ୍ଗୀୟ ଚଳଚ୍ଚିତ୍ର ସୁପରଷ୍ଟାର ପ୍ରସନଜିତ ଓ ଜିତଙ୍କ ମୁଖ୍ୟ ଭୂମିକାର କିଛି ଚଳଚ୍ଚିତ୍ରରେ ଅର୍ପିତା ମୁଖାର୍ଜୀ ମଧ୍ୟ ସାଇଡ୍ ରୋଲ୍ କରିଛନ୍ତି । ଏହା ବ୍ୟତୀତ ଅର୍ପିତା ମୁଖାର୍ଜୀ ବଙ୍ଗାଳୀ ଚଳଚ୍ଚିତ୍ର ଅମର ଅନ୍ତରନାଡରେ ମଧ୍ୟ ଅଭିନୟ କରିଥିଲେ । ଅଧିକାଂଶ ଫିଲ୍ମରେ ସାଇଡ୍ ରୋଲ୍ରେ ନଜର ଆସିଥିବା ଅର୍ପିତା ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।
ସେହିପରି ବନ୍ଦେ ଉତ୍କଳ ଜନନୀରେ ମଧ୍ୟ ସେ ଅଭିନୟ କରିଛନ୍ତି । ତେବେ ବେଶ କିଛି ବର୍ଷ ହେଲା ସେ ଓଲିଉଡ ତଥା ବେଙ୍ଗଲ ସିନେମାରୁ ଦୂରେଇ ରହିଛନ୍ତି । ସେ ସିନେମା ପରେ ଟିଏମସି ହେଭିୱେଟ ପାର୍ଥଙ୍କ ନିକଟବର୍ତ୍ତୀ ହୋଇଥିଲେ । ଅନେକ ସମୟରେ ପାର୍ଥ ମଧ୍ୟ ତାଙ୍କ ଘରକୁ ଯାଆନ୍ତି । ୨୦୧୯ ଓ ୨୦୨୦ରେ ସେ ପାର୍ଥଙ୍କ ଦୁର୍ଗା ପୂଜା କମିଟିର ବିଜ୍ଞାପନ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅର୍ପିତା ଓ ପାର୍ଥ ଏକାଠି ନଜର ଆସୁଥିଲେ । ହେଲେ ଏବେ ଅର୍ପିତାଙ୍କ ଅଡ଼ୁଆ ବଢ଼ିଛି ।
ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ହେଉଛନ୍ତି ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ । ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ସ୍କାନରରେ ରହିଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ବେଳେ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏତେ ପରିମାଣର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଇଡି ଅଧିକାରୀ । ତେବେ ଆଗକୁ ଅର୍ପିତା ମଧ୍ୟ ଗିରଫ ହେବା ଆଶଙ୍କା କରାଯାଉଛି ।