ହାଇଦ୍ରବାଦ: ଚଳଚ୍ଚିତ୍ର 'ଗ୍ୟାଙ୍ଗସ୍ ଅଫ୍ ୱାସେପୁର'ର (Gangs Of Wasseypur) ସ୍କ୍ରିନ୍ ରାଇଟର୍ ତଥା ଅଭିନେତା ଜିଶାନ୍ କାଦ୍ରିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ରାଞ୍ଚିର ଜଣେ ହୋଟେଲ ମାଲିକ ଅଭିନେତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି ।
କୁହାଯାଉଛି ଯେ, ହୋଟେଲରେ ତାଙ୍କର 29 ଲକ୍ଷ ଟଙ୍କା ବାକି ଅଛି, ଯାହା ଅଭିନେତା ଏପର୍ଯ୍ୟନ୍ତ ଦେଇ ନାହାଁନ୍ତି। ସେଥିପାଇଁ ହୋଟେଲର ମାଲିକ ରାଞ୍ଚିର ହିନ୍ଦପିଢି ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ଏ ବାବଦରେ ଅଭିନେତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ପୂର୍ବରୁ ମଧ୍ୟ ଜିଶାନ କାଦ୍ରିଙ୍କ ନାଁରେ ଠକେଇ ମାମଲା ରହିଛି । ଏହାପୂର୍ବରୁ ଫିଲ୍ମ ଫାଇନାନ୍ସର୍ ତଥା ନିର୍ମାତା ଶାଲିନୀ ଚୌଧୁରୀ ନାମକ ଜଣେ ମହିଳା ମଧ୍ୟ ତାଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଥିଲେ । ଚଳିତ ବର୍ଷ ଅଗଷ୍ଟରେ ଶାଲିନୀ ଜିଶାନଙ୍କ ବିରୋଧରେ କାର ଚୋରି ସହିତ ଠକେଇ କରିଥିବା ଅଭିଯୋଗ ଆଣିଥିଲେ । ଏଥି ସହିତ ମାଲାଡ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ଦେଇଥିଲେ ।
ଏହି ମାମଲା ଦୁଇ ବର୍ଷ ପୁରୁଣା
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଞ୍ଚିର ହୋଟେଲ ମାଲିକ ତାଙ୍କ ଅଭିଯୋଗରେ ପୋଲିସକୁ କହିଛନ୍ତି ଯେ, ଏହି ମାମଲା ଦୁଇ ବର୍ଷ ପୁରୁଣା । ଧାନବାଡର ୱାସିପୁରର ବାସିନ୍ଦା ଅଭିନେତା ତଥା ଲେଖକ ଜିଶାନ କାଦ୍ରି ଏକ ୱେବ୍ ସିରିଜର ସୁଟିଂ ପାଇଁ ନଭେମ୍ବର 2020ରେ କିଛି ହୋଟେଲ ରୁମ୍ ବୁକ୍ କରିଥିଲେ । ଏହି ୱେବ୍ ସିରିଜ୍ରେ ଅଭିନେତା ସୌନ୍ଦର୍ଯ୍ୟା ଶର୍ମା, ଅକ୍ଷୟ ଡୋଗ୍ରା, ଆଦେଶ ଚୌଧୁରୀ, ଅନୁପ୍ରିୟା ଗୋଏଙ୍କା ଏବଂ କ୍ରୁ ସଦସ୍ୟମାନେ ପ୍ରାୟ ଅଢେଇ ମାସ ସେମାନଙ୍କ ହୋଟେଲରେ ରହିଥିଲେ ।
ହୋଟେଲର ମାଲିକ ଏହି କଳାକାରମାନଙ୍କ ରହିବା ପାଇଁ 35,05,898 ଟଙ୍କା ଖର୍ଚ୍ଚ କରିଥିଲେ । ଯେତେବେଳେ ୱେବ୍ ସିରିଜର ସୁଟିଂ ଶେଷ ହେଲା, ଫିଲ୍ମ ଟିମ୍ ମୋଟ ବିଲ୍ର ପ୍ରାୟ ଛଅ ଲକ୍ଷ ଟଙ୍କା ଦେଇ ବାକି ବିଲ୍ ପରେ ଦେବାର ପ୍ରତିଶୃତି ଦେଇ ଏଠାରୁ ଚାଲିଗଲେ । କିନ୍ତୁ ପରେ କୌଣସି ଦେୟ ଦିଆଯାଇନଥିଲା । ଏଭଳି ପରିସ୍ଥିତିରେ ମାଲିକ ଅନେକ ଥର ସେମାନଙ୍କ ଟିମ୍ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଜିଶାନଙ୍କ ମୋବାଇଲ୍ ନମ୍ବର ମଧ୍ୟ ବନ୍ଦ ହୋଇଯାଇଥିଲା ।
ଜିଶାନ୍ ଏହି ଚଳଚ୍ଚିତ୍ରରେ କାମ କରିଛନ୍ତି
'ଗ୍ୟାଙ୍ଗସ୍ ଅଫ୍ ୱାସେପୁର' ଚଳଚ୍ଚିତ୍ର ଯୋଗୁଁ ଜିଶାନ୍ କାଦ୍ରି ପ୍ରସିଦ୍ଧ ହେଲେ । ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସେ ଏହାର ସ୍କ୍ରିନ୍ ସ୍କ୍ରିପ୍ଟ ମଧ୍ୟ ଲେଖିଥିଲେ । ଏହି ଚଳଚ୍ଚିତ୍ର ପରେ ସେ 'ରିଭୋଲଭର ରାନୀ', 'ପ୍ରାଗ', 'ହଲାହଲ' ଏବଂ 'ଛଲାଙ୍ଗ' ଭଳି ଚଳଚ୍ଚିତ୍ର ମଧ୍ୟ କରିଥିଲେ । ଅଭିନୟ ପରେ ସେ ଫିଲ୍ମ 'ମେରଠିଆ ଗ୍ୟାଙ୍ଗଷ୍ଟର' ସହିତ ନିର୍ଦ୍ଦେଶକ ଭାବରେ ବଲିଉଡରେ ଡେବ୍ୟୁ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ଜିଶାନ୍ 'ୟାର ଅନର 2' ଏବଂ 'ବିଛୁ କା ଖେଲ' ପରି ୱେବ୍ ସିରିଜ୍ ମଧ୍ୟ ଆଣିଥିଲେ ଯାହାକୁ ଦର୍ଶକ ପସନ୍ଦ କରିଥିଲେ ।