ଭୁବନେଶ୍ବର: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର 4 ଦିନ ବାକିଥିବା ବେଳେ ସବୁଦଳଙ୍କ ମଧ୍ୟରେ ଲଢେଇ ରୋମାଞ୍ଚକ ସ୍ଥିତିରେ ଆସି ପହଞ୍ଚିଯାଇଛି । 120ପ୍ଲସ ମିଶନ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବିଜେପି ଆଜି ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି ।
ଇସ୍ତାହାରକୁ ଦଳ "ସଂକଳ୍ପପତ୍ର" ଭାବେ ଘୋଷଣା କରିଛି । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଦଳର ସଂକଳ୍ପ ପତ୍ରକୁ ଉନ୍ନୋଚିତ କରିଛନ୍ତି । ଏଥିରେ ରାଜ୍ୟ ପାଇଁ 9 ଗୋଟି ସଂକଳ୍ପ ଘୋଷଣା କରିଛି ଦଳ । ଇସ୍ତାହାର କମିଟି ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନଙ୍କ ନେତୃତ୍ବରେ ପ୍ରସ୍ତୁତ ହୋଇଥିବା ଏହି ସଂକଳ୍ପ ବିଷୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ । ଏହାପରେ ଅମିତ ଶାହା ସଂକଳ୍ପପତ୍ରରେ ଥିବା ମୁଖ୍ୟ 9ଟି ବିଷୟରେ କହିବା ସହ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ ।
ବିଜେପି ସଂକଳ୍ପ ପତ୍ରରେ ଘୋଷଣା କରିଥିବା କିଛି ପ୍ରମୁଖ ବିଷୟ
* ଆସନ୍ତା 2022 ସୁଧା ରାଜ୍ୟର ସମସ୍ତଙ୍କୁ ଘର, ପାଣି, ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ଯୋଗାଇ ଦିଆଯିବ ।
* ସରକାର ଗଠନର ପ୍ରଥମ ତିନି ମାସ ମଧ୍ୟରେ କ୍ୟାପିଟାଲ ପନିସମେଣ୍ଟ" ଅଣାଯିବ ।
* ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଟଙ୍କା ଫେରାଯିବ।
* ଦେଶରେ ଓଡିଶାକୁ "ଇଜ୍ ଅଫ ଡୁଇଙ୍ଗ" ବିଜିନେସରେ ପ୍ରଥମ ପାଞ୍ଚଟି ସ୍ଥାନକୁ ଅଣାଯିବ ।
* ରାଜ୍ୟରେ କିସାନ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ।
* ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ସହ ବୟଷ୍କ ଚାଷୀଙ୍କୁ ମାସକୁ 3000 ହଜାର ଟଙ୍କା ପେନସନ ଦିଆଯିବ ।
* ଗର୍ଭବତୀ ମହିଳାଙ୍କ ପାଇଁ 2 ହଜାର ଆମ୍ବୁଲାନସ ବ୍ୟବସ୍ଥା କରାଯିବ ।
* ଓଡିଶାର କୃଷି, ଖାଦ୍ୟ, ମାନବ ସମ୍ବଳ, ପେଟ୍ରୋକେମିକାଲ, ଭିତ୍ତିଭୂମିର ବିକାଶ କରାଯିବ ।
* ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରାଯିବା
* ଆଉ ନୂତନ 15 ଗୋଟି ସ୍ମାର୍ଟ ସିଟି ନିର୍ମାଣ କରାଯିବ ଏହାସହ ଭୁବନେଶ୍ବର କଟକ ମଧ୍ୟରେ ମେଟ୍ରୋ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ ।
* 3 ମାସ ମଧ୍ୟରେ ରାଜ୍ୟରେ ପେଶା ଆଇନ କାର୍ଯ୍ୟକାରୀ କରାଯିବ ।
* ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା କରାଯିବା ସହ 5ଟି ହାଇଟେକ ମେଡିକାଲ ସେଣ୍ଟର ସ୍ଥାପନ କରାଯିବ ।
* 2ବର୍ଷ ମଧ୍ୟରେ ସବୁ ବେକାରୀଙ୍କୁ ଚାକିରୀ ଦିଆଯିବ ।
* 5 ବର୍ଷରେ 20ଲକ୍ଷ ପିଲାଙ୍କୁ ସ୍କିଲ ଡେଭଲପମେଣ୍ଟ ଦିଆଯିବ ।
* ରାଜ୍ୟରୁ ଭ୍ରଷ୍ଟାଚାର, ଗୁଣ୍ଡାଗର୍ଦ୍ଦିକୁ ଦମନ କରାଯିବ ।
ଏହି କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଇସ୍ତାହାର କମିଟି ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର, ଡଃ ଦାମୋଦର ରାଉତ, ବିଷ୍ଣୁ ସେଠୀ ଓ ସମୀର ମହାନ୍ତି, ସୁରମା ପାଢୀଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ