ବଲାଙ୍ଗୀର: କମ୍ପୁଛି ପ୍ରଚାର ମୈଦାନ । ଝାଳବୁହା ପରିଶ୍ରମ ସାଙ୍ଗକୁ ତତଲା ପ୍ରଶ୍ନ । କେନ୍ଦ୍ର ଉପରେ ଘନଘନ ଆକ୍ରମଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାରେ ପଦ୍ମ ମଉଳାଇବା ପାଇଁ ସିଏମଙ୍କ ମାରାଥନ ପ୍ରଚାର ଓ ବିଶାଳ ରୋଡ୍ ସୋ । ସବୁଠି କେନ୍ଦ୍ର ଉପରେ ବିପଦ ବେଳେ କେଉଁଠି ଥିଲ ପ୍ରଶ୍ନ ପଚାରି ସମାଲୋଚନା କରୁଛନ୍ତି ନବୀନ ।
ମିଶନ ପଶ୍ଚିମ ଓଡିଶା । ଏହାକୁ ଆଖିଆଗରେ ରଖି ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଲୋକସଭା ଆସନର ପାଞ୍ଚଟି ବିଧାନ ସଭା ମଣ୍ଡଳୀରେ ରୋଡ ସୋ ଓ ଏକାଧିକ ସଭା କରିଛନ୍ତି ନବୀନ । ସୋମବାର ପ୍ରଥମେ ପାଟଣାଗଡ ବିଧାନସଭା ମଣ୍ଡଳୀର ଏକ ସାଧାରଣ ସଭାରେ ଯୋଗ ଦେଇ ବିଜେଡି ପାର୍ଥୀ ସରୋଜ ମେହେରଙ୍କ ସହ ଲୋକସଭା ପାର୍ଥୀ କଲିକେଶ ନାରାୟଣ ସିଂହ ଦେଓଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ନବୀନ ।
ସେହିପରି ପାଟଣାଗଡ ପରେ ବେଲପଡାରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହାପରେ କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀର କଣ୍ଟାବାଞ୍ଜି ସହର ଠାରୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ରୋଡ ସୋ କରି ଭୋଟ ପାଇଁ ଅପିଲ କରିଥିଲେ । ଏତତ୍ବ୍ୟତୀତ ନବୀନ ଟିଟିଲାଗଡ ବିଧାନସଭା ମଣ୍ଡଳୀର ହଲଦି, ଟିଟିଲାଗଡ, ସଇଁନ୍ତଲା ଓ ତୁଷରା ଛକରେ ମଧ୍ୟ ରୋଡ ସୋ କରିଥିଲେ । ଦେଓଗାଁ ଦେଇ ବଲାଙ୍ଗୀର ବିଧାନସଭା ମଣ୍ଡଳୀରେ ବଲାଙ୍ଗୀର ସହରରେ ବିରାଟ ରୋଡ ସୋ କରିଥିଲେ ନବୀନ ପଟ୍ଟନାୟକ ।
ଶେଷ ପର୍ଯ୍ୟାୟରେ ସେ ଲୋଇସିଂହା ବିଧାନସଭା ମଣ୍ଡଳୀର ଲୋଇସିଂହା ଠାରେ ରୋଡ ସୋ୍ କରିବା ସହ ଲୋକଙ୍କୁ ଅଭିଭାଷଣ ଦେଇ ବିଜେଡିକୁ ଭୋଟ ଦେବା ପାଇଁ କହିଥିଲେ । ନିର୍ବାଚନ ଆସିଲେ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ଦର୍ଶନ ମିଳେ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ଏହା ସବ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ